STORYMIRROR

Kunja Bihari Dalai

Inspirational

4  

Kunja Bihari Dalai

Inspirational

ରେ ମନ ଏ ଜୀବନ ଅଢେଇ ଦିନ

ରେ ମନ ଏ ଜୀବନ ଅଢେଇ ଦିନ

1 min
281


ଜୀବନ ଅଢେଇ ଦିନ  ବୁଝି ଯା'ରେ ବାଇମନ

   ବଞ୍ଚିଅଛୁ ଯେତେଦିନ ଏ ଧରା ଧାମେ 

ସୁକର୍ମେ ହୁଅ ମଗନ  ଭକ୍ତି ରଖି ଗୁରୁଜନ

   ଦେଇଚାଲ ସନମାନ ଗୁରୁ ବ୍ରାହ୍ମଣେ 

     ପ୍ରାଣୀ ଦେହେ ଦେବ ଦର୍ଶନ 

 କରି ପାରିଲେ ହୋଇବ ଜୀବନ ଧନ୍ୟ।।


ମିଛ ମାୟା ଏ ସଂସାର  ମିଛ ସମ୍ପର୍କର ଡୋର

   ମାୟାର ପରଳ ଆମ ଆଖି ଆଗରେ

ପରଳ ହଟାଇ ଦେଲେ  ସତ୍ୟ ପ୍ରକାଶଇ ହେଳେ

   ବିଶ୍ୱାସ ରଖି କେବଳ କର୍ମ ଉପରେ

     ଚଳାଏ ଯେ ସଂସାର ରଥ

 ଶରଣେ ନିଅନ୍ତି ତାକୁ ଶ୍ରୀଜଗନ୍ନାଥ ।।


ଲୋଭ ହିଂସା ଠାରୁ ଦୂରେ  ରସନା ସଂଯତ କରେ

   ସେହି ଏକା ମହୀୟାନ ମାନବେ ଗଣା

ଜମି ବାଡି ଧନରତ୍ନ  ରହିବନି ସବୁଦିନ 

   କିପାଇଁ କରୁଛୁ ଏତେ ଆତ୍ମ ବଡିମା 

     ସାଥିରେ କେ ଯିବେନି ତୋର

 ପ୍ରାଣବାୟୁ ଉଡିଯିବ ଥିବ ଶରୀର ।।


ସଂପର୍କର ମାନେ ନାହିଁ  ମଡା ବୋଲି ହେବେ କହି

   ଅପବିତ୍ର ବୋଲାଇବେ ତୋ ନିଜ ଲୋକ

ପରିବାର ପରିଜନ  ଝୁରି ହେବେ କିଛିଦିନ 

   ଭାବିଛୁକି ସବୁଦିନ କରିବେ ଦୁଃଖ 

     ସ୍ୱାଭାବିକ ହୋଇବେ ସର୍ବେ 

 କାହିଁକି ମନେ ରଖିବେ କି ସ୍ୱାର୍ଥ ଲଭେ ।।


ରେ ମନ ମୋ କଥା ମାନ  ହରି ନାମେ ଦିଅ ଧ୍ୟାନ 

   ବନ୍ଧୁ ଭାବ ରଖିଥାଅ କାଳିଆ ଠାରେ

ମାରିବେ ତାରିବେ ସେହି  ତାଙ୍କ ବିନା ଗତି ନାହିଁ

   ଭାବ ଥିଲେ ସେହି ଏକା ଥିବେ ସାଥିରେ

     ଶେଷ ବେଳେ ଦେବେ ଦର୍ଶନ

 ପଥ ପ୍ରଦର୍ଶକ ହେବେ ତୋର ଚକା ନୟନ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational