ଡର ଲାଗେ ବନ୍ଧୁ ପଣ
ଡର ଲାଗେ ବନ୍ଧୁ ପଣ
ବିଶ୍ୱାବସୁ ପ୍ରିୟ ଥିଲ କେମିତି ତାଙ୍କୁ ଠକିଲ
ଭକ୍ତକୁ ଦୂରେଇ ଦେଇ ପାଶୁ ତୁମ୍ଭର
କପଟ କଲ ଗୋସାଇଁ ରାଜା ପ୍ରେମେ ହୋଇ ବାଇ
ରାତା ରାତି ଛାଡିଗଲ ନୀଳକନ୍ଦର
ବିଦ୍ୟାପତି ସ୍କନ୍ଧରେ ବସି
ଚୋରଙ୍କ ପରାଏ ସେଠୁ ଆସିଲ ଖସି ।
ବରଷକେ ଥରେ ନାଥ ହୁଏ ତୁମ ରଥ ଯାତ
ଖୁସିରେ ଖୁସିରେ ଯାଅ ମାଉସୀ ଘର
ସାଥେ ଧରି ବଡଭାଇ ଭଉଣୀ ସୁଭଦ୍ରାମାୟୀ
ଭକତ ଗହଳି ଥାଏ ଚତୁଃପାର୍ଶ୍ୱର
ସିନ୍ଧୁଜେମା ମନ୍ଦିରେ ଏକା
ହୁନ୍ଦର କଲ କିପାଇଁ ମନ୍ଦର ଟେକା ।
ଗଢାହେଲା ଯେବେ ମୂର୍ତ୍ତି ବିଶ୍ୱକର୍ମା ହସ୍ତ କୀର୍ତ୍ତି
ସେଥିରେ ବି ଥିଲା ଛଳ ଅନ୍ତର୍ନିହିତ
ସ୍ୱୟଂ ଇଚ୍ଛାରେ ଶରୀର ଗଢାଇଲ ଚକ୍ରଧର
ଅଧା ଗଢା ଦେହ ପାଇଁ ରାଣୀ ନିନ୍ଦିତ
ସେ'ତ ଥିଲେ ପରମ ଭକ୍ତ
ଅଯଥାରେ କଲ କିଆଁ ଅପମାନିତ ।
ଡରଲାଗେ ହୃଦୟକୁ ବନ୍ଧୁପଣେ ବାନ୍ଧିବାକୁ
ଛଳନା କରିବ କାଳେ ମୋହ ସାଥିରେ
ନୁହେଁ ଭକ୍ତ ସାଲବେଗ ନାହିଁ ମୋ ଦାସିଆ ଭାବ
ପରୀକ୍ଷା ପାରିବି ଦେଇ ଦୃଢ ଚିତ୍ତରେ
ନାହିଁ ମୋର ସାହାସ ଧୈର୍ଯ୍ୟ
ସହିବି କେମିତି କୁହ ଏମିତି କାର୍ଯ୍ଯ ।
ଅତୁଟ ରହୁ ବିଶ୍ବାସ ନ'ଆସୁ ମୋ ମନେ କ୍ଳେଶ
ରହିଥାଉ ଲୟ ସଦା ପାଦପଦ୍ମରେ
ଜୀବ ଥିବା ଯାକେ ମୋର ଜପୁଥିବି ନାମ ତୋର
ଏତକ ମାଗୁଣି ପୂର୍ଣ୍ଣ କର ଠାକୁରେ
ମାଗୁ ନାହିଁ ଧନ ରତନ
ଯିବା ବେଳେ ସାଥେ ଥାଉ ମାନ ସମ୍ମାନ ।