ଜନନୀ
ଜନନୀ
ପିଲା ପାଇଁ ଯିଏ ଆଲୋକ ବର୍ତ୍ତିକା
ସୁନ୍ଦର ସୃଷ୍ଟି ଦର୍ଶନେ
ସ୍ନେହ କରୁଣାର ମୂର୍ତ୍ତିମତୀ ଦେବୀ
ଜୀବନର ମରୁଦ୍ୟାନେ ।
ଜନନୀ ସେ ଆମ ପ୍ରଥମ ଗୁରୁମା
ଶିକ୍ଷା ଓ ସଂସ୍କାର ଦାନେ
ପ୍ରତିଷ୍ଠିତ କରେ ଆମକୁ ସମାଜେ
ଆକାଂକ୍ଷା ନ'ରଖି ମନେ ।
ବିପଦରେ ଆମ ଛିଡା ହୋଇଥାଏ
ସମ୍ମୁଖରେ ଅଙ୍ଗରକ୍ଷୀ
ଭୋକ ଶୋଷ ହେଲେ ସହଜେ ବୁଝଇ
ମୁଖମଣ୍ଡଳକୁ ଦେଖି ।
ଆମ ଉତ୍ପୀଡ଼ନ ତା ଲାଗି ଚନ୍ଦନ
ସହିଯାଏ ମଥା ପାତି
ଅସୁସ୍ଥ ହୋଇଲେ ସେବା କରୁଥାଏ
ଜଗି ରହି ଦିନ ରାତି ।
ଜନନୀ ପରି କେ ଅଛି ଏ ସଂସାରେ
ବୁଝିବ ଅନ୍ତର କଥା
ସନ୍ତାନ ଖୁସିରେ ଆତ୍ମହରା ହୁଏ
ଭୁଲି ନିଜ ଦୁଃଖ ବ୍ୟଥା ।
ଗରଭେ ଧାରଣ ଦିନୁ ଜୀବନକୁ
ଆମରି ସୁଖ ସ୍ଵାଚ୍ଛନ୍ଦେ
ଉତ୍ସର୍ଗ କଲା ଯେ କର୍ତ୍ତବ୍ୟ ଆମର
ଯେମିତି ସିଏ ନ କାନ୍ଦେ ।
ମାତୃ ପିତୃ ଋଣ ସୁଝିବା ଜୀବନେ
ନୁହଁଇ କେବେ ସମ୍ଭବ
ଚେଷ୍ଟା ଜାରି ଥିଲେ ସେହି ଋଣ ଭାର
କିଛି ତ ହେବ ଲାଘବ ।