ଜୀବନ୍ମୃତ୍ୟୁ
ଜୀବନ୍ମୃତ୍ୟୁ
ଅନ୍ଧାର ରାତିରେ ଲଣ୍ଠନ ଓ ବାଡି
ହାତେ ଧରି ରଂଗୀ ବୁଢ଼ୀ,
ବୋହୂପରେ ରାଗି ଚାଲେ ଝପଟେଇ
ଘରଦ୍ଵାର ଆଶା ଛାଡି଼ ।
ବାଟରେ ମଣିଆଁ ଭେଟିଲା ରଂଗୀକୁ
ପଚାରେ ଯାଉଛୁ କାହିଁ,
କହୁଅଛି ରଂଗୀ ଯାଉଅଛି ରାଗି
ଜୀବନ ହାରିବା ପାଇଁ ।
ନିତି ନିତି ବୋହୂ ଦେଉଅଛି ଖୁଣ୍ଟା
ପାରିଲିନି ମୁଁ ଯେ ସହି,
ଶପଥ କରଛି ରେଳ ଧାରଣାରେ
ବେକ ଦେଖେଇବି ମୁହିଁ ।
ଆତ୍ମହତ୍ୟା ପାଇଁ ଯାଉଅଛୁ ଯେବେ
ବାଡି଼ ଓ ଲଣ୍ଠନ କିଆଁ,
ହାତେ ଧରି ଯାଉ ସହାସ୍ୟ ବଦନେ
ପଚାରୁଅଛି ମଣିଆଁ ?
ପାଟି ପାକୁପାକୁ କରି ରଂଗୀ ବୁଢ଼ୀ
ସହଜେ କହେ ବୁଝେଇ,
ଅନ୍ଧାର ରାତିରେ ଯିବି ମୁଁ କେମିତି
ଲଣ୍ଠନ ସାଥେ ନନେଇ ?
ବାଟରେ ସାପ କି ଅନ୍ୟ ଜନ୍ତୁ କାଳେ
ଦେବେ ଗୋଡ଼କୁ କାମୁଡି଼,
ତାଙ୍କ କବଳରୁ ବଞ୍ଚିବାର ଆଶେ
ଧରିଛି ହାତରେ ବାଡି଼ ।
ମରଣ ପଦରେ ଶରଣ ପଶିବା
ନୁହଇ ଏତେ ସହଜ,
ଜୀବନାକର୍ଷଣ କେବେ ଚାହେଁନାହିଁ
ମରଣର ପଦରଜ ।