ଦେଖୁଛି ଯାହା ଲେଖୁଛି
ଦେଖୁଛି ଯାହା ଲେଖୁଛି
କୁହାଯାଏ ଜ୍ଞାନୀ-ଗୁଣୀ-ପଣ୍ଡିତଙ୍କୁ ପୁରସ୍କାର ଦିଆଯାଏ,
ଦେଖୁଛି ଏ' ଆଖି ଜଣେ ବିକେ ପୁଣି ଆଉ ଜଣେ କିଣିନିଏ |
କୁହାଯାଏ ଧନୀଲୋକ କିଛି ଧନ ଗରିବକୁ କରେ ଦାନ,
ଦେଖୁଛି ଏ' ଆଖି ଗରିବକୁ ଧନୀ କରେ ବେଶି ହୀନିମାନ |
କୁହାଯାଏ ଏଇ କଲେଜରେ ପଢ଼ ଆଗକୁ ଚାକିରୀ ଥୁଆ,
ଦେଖୁଛି ଏ' ଆଖି ପାଠପଢା ପରେ ଛାତ୍ର ହେଉଛି ଭକୁଆ |
କୁହାଯାଏ ଜାତି-ଜାତକ ମିଳେଇ କରୁଥିବ ବାହାଘର,
ଦେଖୁଛି ଏ' ଆଖି ସବୁ ତ ନକଲ ମିଛ ପ୍ରମାଣ ପତର |
କୁହାଯାଏ ସତ୍ୟ-ଧର୍ମ ପଥେ ଥିଲେ ବିପଦ ଆସିବ ନାହିଁ,
ଦେଖୁଛି ଏ' ଆଖି ସତ୍ୟର ପୂଜାରୀ ଥାଏ ଦୁଃଖ-କଷ୍ଟ ପାଇ |
କୁହାଯାଏ ପୁଅ କୁଳର ପ୍ରଦୀପ ତୁଣ୍ଡେ ଦେବ ଗଙ୍ଗାଜଳ,
ଦେଖୁଛି ଏ' ଆଖି ବୁଢା-ବୁଢୀମାନେ ମରନ୍ତି ହେଇ ବିକଳ |
କୁହାଯାଏ ଧନଠାରୁ ଜ୍ଞାନ ବଡ଼ ସବୁଠାରୁ ବଡ଼ ମାଆ,
ଦେଖୁଛି ଏ' ଆଖି ଧନଥିଲେ ମନ କରୁଛି ତା' ଇଚ୍ଛା ଯାହା |
