କହି କିଛି ଲାଭ ନାହିଁ
କହି କିଛି ଲାଭ ନାହିଁ


ମିଛ ଏଠି ଦେଖ ପସରା ମେଲିଛି
ସତ୍ୟର ବିକ୍ରୟ ନାହିଁ
ସତ କହି ଲୋକ ନିଜେ ସଜା ପାଏ
ଠକିବା ଲୋକର ଜୟୀ
କହି କିଛି ଲାଭ ନାହିଁ ।
କ୍ଷୀରକୁ ନିଅନ୍ତି ତିନି କିଲୋମିଟର
ବିକ୍ରୟ କରିବା ପାଇଁ
ମଦକୁ ପିଅନ୍ତି ଘରକୋଣେ ଯାଇ
ହକ୍ ପଇସା ଦେଇ
କହି କିଛି ଲାଭ ନାହିଁ ।
ଦୋଷୀ ଲୋକ ଏଠି ଖସି ଯାଉଅଛି
ପକେଟ୍ ଗୁଞ୍ଜଣା ଦେଇ
ନିର୍ଦ୍ଧୋଷୀ ଲୋକର ଆହା ସାହା ନାହିଁ
ହାଜତେ ଚକି ପେଷଇ
କହି କିଛି ଲାଭ ନାହିଁ ।
କୁଆଁରୀ ଝିଅଙ୍କୁ ବର ଜୁଟୁ ନାହିଁ
ହାତେ ଧନ ନାହିଁ ବୋଲି
ତିନି ଛୁଆର ମାଆ ପ୍ରେମେ ଅନ୍ଧ ହୋଇ
ସ୍ଵାମୀକୁ ଛାଡି ଯାଏ ଚାଲି
କହି କିଛି ଲାଭ ନାହିଁ ।
ପେଟ୍ରୋଲ ଲିଟର ହେଉ ଦେଢ଼ଶହ ଟଙ୍କା
ଗାଡି ଚଢା କମ୍ ନାହିଁ
ଖାଇବା ତେଲ କେଜି ଦୁଇଶହ ଟଙ୍କା
ଚାଷ କରିବାକୁ ମନ ନାହିଁ
କହି କିଛି ଲାଭ ନାହିଁ ।
ଧାନ କିଳୋ ହେଲା କୋଡ଼ିଏଟି ଟଙ୍କା
ଚାଷୀ ମୂଳ ପାଏ ନାହିଁ
ଟଙ୍କା ଗୋଟିଏ କୁ ଏକ କିଲୋ ଚାଉଳ
ଏଇଠି ମିଳୁଛି ଭାଇ
କହି କିଛି ଲାଭ ନାହିଁ ।
ଜନ୍ମଦାତା ଆଜି ଭିକ ମାଗି ବୁଲେ
ଚାରିପୁଅ ବୋହୂ ଥାଇ
ଘରଜ୍ଵାଇ ଦେଖ ଶାଶୁଶ୍ୱଶୁରଙ୍କୁ
ଆନନ୍ଦେ ସେବା କରଇ
କହି କିଛି ଲାଭ ନାହିଁ ।
କିଶୋର କିଶୋରୀ ପ୍ରେମେ ହେଲେ ବାଇ
ନାବାଳକ ଛାତ୍ର ଥାଇ
ବାପାମାଆ ଙ୍କୁ କିଏ ପଚାରୁଛି
ସ୍ମାର୍ଟ୍ ଫୋନ୍ କଲା ବାଇ
କହି କିଛି ଲାଭ ନାହିଁ ।