ଜନନୀର ମହତ ବାଣୀ
ଜନନୀର ମହତ ବାଣୀ
ଜନନୀ ବୋଲନ୍ତି ଶୁଣରେ ତନୟ
ମୋର କହିବାର ବାଣୀ
ଅକ୍ଷରେ ଅକ୍ଷରେ ପାଳିବୁ ଧନରେ
ପଛନ୍ତେ ହୋଇବୁ ଗୁଣି ।
ଦଶମାସ ଗର୍ଭେ ଧରିରେ କୁମର
ଜନମ ଦେଇଛି ତୋତେ
କରମ ତ ବିଧି ଯାହା ଲେଖିଅଛି
ଦୋଷନାହିଁ ଦେବୁ ମୋତେ ।
କର୍ମ ଅନୁସାରେ ଫଳ ଭୋଗିବୁରେ
ସତ୍ଯପଥେ ଥିବୁ ଧନ
ସତ ଛଡ଼ା ଆନେ ମନ ନ ବଳାଇ
ସଦା ବିହରିବୁ ଦିନ ।
ମିଥ୍ୟା ଅଟେ ପାପ ଘୋର ନରକରେ
ମିଥ୍ୟା ରୁ ରହିବୁ ଦୂରେ
ଦୁଃଖି ଅରକ୍ଷିତ ନିରାଶ୍ର ଜନଙ୍କୁ
ସହାୟ ହୋଇବୁ ବାରେ ।
ମାନବ ସେବା ହିଁ ମାଧବଙ୍କ ସେବା
ଏ କଥା ଭାବିବୁ ମନେ
ଅତିଥି ସେବା ହିଁ ଗୃହସ୍ଥ ର ଧର୍ମ
ସଦା ରଖିଥିବୁ ମନେ ।
ଗୁରୁ ଗରୁଜନେ ସମ୍ମାନ କରିବୁ
ସ୍ନେହ ଦେବୁ ଲଘୁଜନ
ମଧୁର ବଚନ ସଦା କହିବାବୁ
ତୋଷିବୁ ସବୁରି ମନ ।
ରାଗ ଦ୍ୱେଷ ହିଂସା ଅହଂକାର ଛନ୍ଦ
କପଟ ନକରି ହୃଦେ
ଷଡ ରିପୁ ଠାରୁ ଦୂରେଇ ରହିବୁ
ଧ୍ୟାୟୀ ବିଭୁ ପାଦ ଗତେ।
ବନ୍ଧୁ ପରିଜନ ଆବୋରି ରହିବୁ
ପଡୋଶୀ ଙ୍କ ମନଜାଣି
ଭାଇ ଭଗିନୀ ଙ୍କୁ ସ୍ନେହ ବନ୍ଧନରେ
ସଂପର୍କ ରଖିବୁ ପୁଣି ।
ବିପଦ ବେଳରେ ସାହଯ୍ୟ କରିବୁ
କର୍ତ୍ତବ୍ୟ ଭାବିଣ ମନେ
କର୍ମ କରି ଫଳ ଆଶା ନ ରଖିବୁ
ବିଭୁ ସାହା ହେବେ ଦିନେ ।
ପର ଧନ ଦେଖି କାତର ନୋହିବୁ
ସ୍ଵାର୍ଥକୁ ଦେବୁ ଆହୁତି
ପରଧନ ପିତା ପର ସ୍ତ୍ରୀ ମାତା
ମନରେ ରଖିବୁ ଭିତ୍ତି ।
ସତ୍ୟ ଶାନ୍ତି ଦୟା କ୍ଷମା ର ଗାରିମା
ଯୁଗେ ଯୁଗେ ବନ୍ଦନୀୟ
ନାମକୁ ଶରଣ ଜୀବ ପ୍ରତି ଦୟା
ନ ହେବୁ କଠୋର ହୃଦୟ ।
ବିପଦ ବେଳରେ ଭାଙ୍ଗିନ ପଡ଼ିବୁ
ସାହସ ରଖିବୁ ମନେ
ସୁଖ ସମୟରେ ଅଧିର ନ ହେବୁ
ସଫଳ ହୋଇବୁ ଦିନେ ।
ଲକ୍ଷ୍ୟ ପଥେ କେବେ ପଥ ଭ୍ରଷ୍ଟ ନୋହି
ବୁଦ୍ଧି କରି ଆଗୁସାର
ସଫଳତା ଦିନେ ହାସଲ କରିବୁ
ଜୀବନ ସଂଗ୍ରାମେ ତୋର ।
ଆଗ ପଛ ପାପ ପୁଣ୍ୟ ଭଲ ମନ୍ଦ
ଯା ଠାରେ ଥାଏଟି ଭାବ
ଥାଏ ଯାହାଠାରେ ଏହି ସବୁ ଗୁଣ
ନ ଥାଏ ତାକୁ ଅଭାବ ।
ଚୋରୀ ଦାରି ହତ୍ୟା ଲୁଣ୍ଠନ କୁମାର୍ଗେ
କେବେ ନ ଯିବୁରେ ଧନ
ଜନନୀ ର ଏହି ମହତ ବାଣୀକୁ
କରିଥିବୁ ଗଣ୍ଠିଧନ ।
ହରିନାମ ଗାଇ ରାମକୃଷ୍ଣ ଧ୍ୟାୟୀ
ସଦା ବିହରିବୁ ଦିନ
ମାନବ ଜନମ ସାର୍ଥକ ହୋଇବ
ମୋକ୍ଷ ହେବ ପିଣ୍ଡ ପ୍ରାଣ ।