ଇଞିନିୟରିଂ ପଢିବା ଓ ବାବାଜୀ ହେବା
ଇଞିନିୟରିଂ ପଢିବା ଓ ବାବାଜୀ ହେବା
ଇଞିନିୟରିଂ କଲେଜ ଗୁଡିକ
ଆଶ୍ରମଠୁ କମ୍ ନୁେହେଁ;
ଯେଉଁଠି ପିଲାର ଭଲ ପାଇଁ ଅବିଭାବକ
ମୋଟା ଅଂକର ଦାନ ଦିଏ!
ବହୁ କଲେଜ ମାଲିକମାନେ ବି ଭଣ୍ଡ
ବାବା ମାନଂକଠୁ କମ୍ ନୁହନ୍ତି;
ଚିକ୍କଣିଆ ପ୍ରବଚନ ଦେଇ
ଠକି ଚାଲିଲେ ବି ଲୋକେ ଭକତ ହୁଅନ୍ତି!!
ଇଞ୍ଜିନିୟରିଂ ପଢିବା ଓ ତପସ୍ୟା କରିବା
ଭିତରେ ବିଶେଷ ଫରକ ନାଇଁ;
ବହୁ ଶ୍ରମ, ତ୍ୟାଗ, ସମୟ ଓ କଷ୍ଟ
ସ୍ୱୀକାର କରିବାକୁ ପଡିଥାଏ ଉଭୟ ପାଇଁ !
ତପସ୍ୟାର ଫଳ ହେଲା ସନ୍ୟାସ ଗ୍ରହଣ
କରି ସିଦ୍ଧତ୍ୱ ପ୍ରାପ୍ତି;
ଇଞ୍ଜିନିୟରିଂ ପଢା ସାରି ଅନେକ ବାବାଜୀ
ହୁଅନ୍ତି ଯେଣୁ ଚାକିରୀ ନାସ୍ତି!!
ଆହା ପୁଅମୋର ସଂସାର ତ୍ୟାଗକଲା
ବୋଲି ସନ୍ନ୍ୟାସୀର ମାଆ କାନ୍ଦେ;
ଆହା କେତେଖର୍ଚ୍ଚ କଲିବୋଲି
ଇଞ୍ଜିନିୟରିଂ ପିଲାର ମାଆକୁ ବାଧେ!
ଆଜିକାଲି ବାବାଜୀଂକର ହେଲେ ତ
ଗଣ୍ଡେ ମାତାଜୀ ଥାଆନ୍ତି;
ଇଞ୍ଜିନିୟରିଂ ପଢିଥିବା ପୁଅ ପାଇଁ କିନ୍ତୁ
ଖୋଜିଖୋଜି ବୋହୁ ମିଳୁନାହାନ୍ତି!!
ବାବା କହନ୍ତି- ବତ୍ସ, ବିଶ୍ୱାସେ
ମିଳଇ ହରି ତର୍କେ ବହୁଦୂର;
ମାଲିକେ କହନ୍ତି- ପ୍ଲେସମେଂଟ୍ ଦିନେ
ନିଶ୍ଚୟ ମିଳିବ ବିଶ୍ୱାସ କର!
ବାବାମାନେ ଯେ ପର୍ଯ୍ୟନ୍ତ ଧରା ନପଡନ୍ତି
ସିଦ୍ଧ ପୁରୁଷ ବୋଲାନ୍ତି;
ଠକ ପ୍ଲେସମେଂଟ ଜଣା ନ ପଡିବାଯାଏଁ
କଲେଜ ରେପୁଟେସନ ବୋର୍ଡ ଝୁଲାନ୍ତି!!
ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧି, ନିର୍ଦ୍ଦିଷ୍ଟ ଖାଦ୍ୟ
ଖାଇବାଟା ଆଶ୍ରମ ଜୀବନ;
ଇଞ୍ଜିନିୟରିଂ କଲେଜର ହଷ୍ଟେଲର
ଜୀବନ ବି ଅଟଇ ସମାନ!
ଆଧ୍ୟାତ୍ମିକତାରେ ରାଧାକୃଷ୍ଣ ଅପୂର୍ବ
ମିଳନ ହୁଏ କିନ୍ତୁ ବିବାହ ମନା;
ଇଞ୍ଜିନିୟରିଂ କଲେଜର ଅଧିକାଂଶ
ମିଳନ ଦୂରେଇ ଯାଇଥାଏ ମିଳନ ବିନା!!