ଉଜ୍ଜୀବିତ ସ୍ମୃତି
ଉଜ୍ଜୀବିତ ସ୍ମୃତି
ଉଜ୍ଜୀବିତ ସେଇ ସ୍ମୃତି ଯାହା ରହିଛି ସାଇତା
ସ୍ମୃତି ସହ ବିଜଡ଼ିତ କେତେ ଅନୁଭୂତି ଗାଥା
ପିଲାଦିନ ସ୍ମୃତି ଉଙ୍କି ମାରେ, ପ୍ରତି ମୁହୂର୍ତ୍ତରେ
ପ୍ରାୟ ହସ ଖୁସି ମଜା,ଥିଲା ସେହି ସମୟରେ
ଦାଣ୍ଡ ଧୂଳି ସହ ମିଶି ହେଉ ଥିଲା ଧୂଳି ଖେଳ
ନଡ଼ା ଛପର ଓ ମାଟି ଘରେ ବିତିଛି ସେ' କାଳ
ଗାଁ ଦାଣ୍ଡରେ ବାଟି, ନଟୁ,କବାଡି , ପ୍ରାୟତଃ ଖେଳ
ଟିଣ ଡବା କୁ ବାଡେଇ ବାଜା ଭାବେ ଥିଲା ଖେଳ
ମିଛ ବୋହୂ ବେଶ ହେଉଥିଲା ମିଛ ବାହାଘରେ
ବୋହୂ ଚୋରି ଖେଳ କିନ୍ତୁ ହେଉଥିଲା ଖେଳ ଧାରେ
ସାଇକଲ ଶିଖିବାର ଇଚ୍ଛା ଥିଲା ବି ପ୍ରବଳ
ଫ୍ରେମ ଭିତରେ ଗୋଡ ରଖି ଶିଖୁ ଥିଲା ସାଇକଲ
ସାଇକଲ ମିଳିଗଲେ ଖୁସି ହେଉଥିଲା ମନ ବେଶି
ଆଣ୍ଠୁ ଗଣ୍ଠି ଛିଣ୍ଡି ବି ଥିଲା ସାଇକଲ ରୁ ଖସି
ଖେଳ ହୋଇଛି କଉଡ଼ି ପରି ଗୋଡ଼ି ପଥରରେ
ଖେଳ ବି ସାଇକଲ ପୁରୁଣା ଟାୟାର-ରିମ୍ ରେ
ସନ୍ଧ୍ୟା ବେଳେ ପାଠ ପଢ଼ା ଡିବିରି ଆଲୁଅ ଧାରେ
କଲମର କାଳି ପୋଛା ହୁଏ ହାତରେ,ମୁଣ୍ଡରେ
ଆଗ ନାମ ଲେଖା, ବହି ଖାତା ମଲାଟ ଉପରେ
ମନର ଭାବନା ଲେଖି ହେଉ ଥିଲା ବି ଚିଠିରେ
ମନ ବେଶି ଖୁସି ହେଉଥିଲା ପାଞ୍ଚ ଟଙ୍କା ଧାରେ
ଯଦି ବା କିଏ ,କେବେ ପଠାଏ ମନି ଅର୍ଡର୍ ରେ
ଗାଧୁଆ ବି ହୁଏ ରାଶି ତେଲ ଲଗାଇ ମୁଣ୍ଡରେ
ଇସ୍ତ୍ରୀ ହେଉଥିଲା ନିଆଁ ରଖି ପିତଳ ଢାଳ ରେ
ଖାଦ୍ୟ ପ୍ରାୟ ଜାଉ ଆଉ ଶୁଖୁଆ ପୋଡ଼ା ସାଥିରେ
ଡର ଲାଗେ ପ୍ରାୟ ଦେଖି ଗୁରୁଜନଙ୍କୁ ବାଟରେ
ମୁଣ୍ଡିଆ ମାରିବା ବି ସଂସ୍କାର ଥିଲା ମନ୍ଦିରରେ
ପରୀକ୍ଷା ଦିନ ଦି' ଟି' କଲମ ଥିଲା ସତେ ବଳ
ପନ୍ଦର ପଇସା ପୋଷ୍ଟ କାର୍ଡ ରେ ଚିଠି ଚହଳ
ଫ୍ୟାନ୍,କୁଲର୍, ଓ ଏ ସି ପାଇଁ ନ ଥିଲା ବ୍ୟାକୁଳ
ଲାଇଫବୟ, ସାବୁନ ଦ୍ଵାରା ଡ୍ରେସ୍ ନିରିମଳ
କାଞ୍ଜି,ପିତା ଶାଗ,କଖାରୁ ଫୁଲ ଖାଇବାର ଖୁସି
ମାଛ ମାଂସ ହେବା ଦିନ ଖିଆ ହୁଏ ଟିକେ ବେଶି
ଭୋଜି ଖାଇ ହାତ ଧୋଇ ପୁଣି ଶୁଙ୍ଘି ଦେବା ମଜା
ଦୀପାବଳିରେ ଫୁଟି ନ ଥିବା ବାଣ ହୁଏ ଖୋଜା
ପୁଣି ଥରେ ନିଆଁ ଲଗା ଯାଇ ମନେ ମନେ ଖୁସି
ସ୍କୁଲ୍ ପଛ ପଟେ କୋଳି ଖୋଜା ବୁଦା ମଧ୍ୟେ ପଶି
ପୋଖରୀ ରେ ଘଣ୍ଟା ଘଣ୍ଟା ବୁଡି ରହିବାର ଖୁସି
ବର୍ଷା ହେଲେ କାଗଜର ଡଙ୍ଗା ଯାଉଥିଲା ଭାସି
ସୂତା ବନ୍ଧା ହୁଏ କଙ୍କି ଟିଏ ଧରି ତା' ଲାଞ୍ଜରେ
ପୋକ ସେ' ସାଧବ ବୋହୂ ରହଇ,ଦିଆସିଲି ରେ
ମାଛ ଧରା ହୁଏ ବର୍ଷା ଦିନେ ଲୁଚି ଛପି ରହି
ବନ୍ସି କଣ୍ଟା ଧାରେ ମାଛ ଧରି ଖୁସି ବି ଲାଗଇ
ଖରା ଦିନେ ଥିଲା ଖୁସି ପ୍ରାୟ ପତଙ୍ଗ ଉଡ଼ାଇ
ଲାଳ ବୋହି ଯାଏ ଲୁଣ ମିଶା କଞ୍ଚା ଆମ୍ବ ଖାଇ
ଭଲ ଥିଲା ସେ ସମୟ, ସେଇ ପିଲା
ବେଳ ଖେଳ
ସମୟ ସୁଅରେ ସବୁ କିଛି ପ୍ରାୟତଃ ବିରଳ
ସେ' ସମୟ ଖେଳ ,ସବୁ କିଛି ହଜିଗଲା କାହିଁ
ଆମର ସେ' ପିଲା ବେଳ ସବୁ ସ୍ମୃତି ଅଛି ରହି
ସ୍ମୃତି ଟାଣି ନିଏ ଦେଖିବାକୁ ଗାଆଁର ସକାଳ
ପୋଖରୀ ତୁଠ-ପଥର ଆଉ ଭୁଆସୁଣୀ ମେଳ
ସ୍ମୃତି କହେ ପ୍ରେମିକାର କଥା,ପୁଣି ସଞ୍ଜ ବେଳ
ତା'ଆଖି ଇଶାରା ଧାରେ କେତେ ଲୁଚା ଚୋରା ଖେଳ
ଯୁବ ବୟସର ଉନ୍ମାଦନା ଧାରେ ହସ ଖୁସି
ମନ ଖୋଜୁଥିଲା ସେ'ଷୋଡ଼ଶ ବୟସି ରୂପସୀ
ମତୁଆଲା ମନ ଥିଲା ପ୍ରାୟ ପ୍ରଜାପତି ପରି
ତରୁଣୀ ର ହସ ମିଠା କଥା ଥିଲା ସର୍ବୋପରି
କ୍ରମେ ଦାୟିତ୍ଵ ବହନ ପରେ ଲିଭି ଗଲା ହସ
ସ୍ମୃତି ହୋଇ ରହି ଗଲା ଅତୀତର ଖୁସି ହସ
ପୁରୁଷ ପଣିଆ ସାଥେ ଜୀବନରେ ଅର୍ଥ ଚିନ୍ତା
ଆପେ ବୁଝି ହେଲା ସବୁ ବୋଝ ସହିତ ଦୁଃଶ୍ଚିନ୍ତା
ପ୍ରତି ମୁହୂର୍ତ୍ତରେ ପ୍ରାୟ ବୋଝ,ରୋଜଗାର ଚିନ୍ତା
ପରିବାର ମୁହଁରେ ହସ ପାଇଁ ନିତି ଦିନ ବ୍ୟଥା
ଘରର ଦାୟିତ୍ଵ,ପିଲାଙ୍କର ଯତ୍ନ,ଅଳି କଥା
ବ୍ୟଥା ହୃଦୟ ଭିତରେ ଉପାୟ ସନ୍ଧାନେ ଚିନ୍ତା
ହାତୀ ଘୋଡ଼ା ହୋଇ ଖେଳିବା ପିଲାଙ୍କ ସହ
ପିଲାଙ୍କ ସାମଗ୍ରୀ ଦେବା,ବୋଝ ନୁହେଁ ଖୁସି କୁହ
ଅଘଟଣ ହେଲେ ନିଦ ହଜେ ରାତି ସାରା ଚିନ୍ତା
ଲୁହ,ମୋତି ବୋଲି ଭାବି ଛାତିରେ ଅକୁହା କଥା
ଦିନ,ମାସ,ବର୍ଷ ପୁଣି ପ୍ରତି ମୁହୂର୍ତ୍ତର ଚିତ୍ର
ସାଇତା ହୋଇ ରହିଛି ସେହି ଅଭୁଲା ଅତୀତ
କିଛି ଖଟା-ମିଠା,କିଛି ଦୁଃଖ-ସୁଖର ସମ୍ଭାର
କିଛି ମୁହୁର୍ତ୍ତ ନିଜର ଓ ପୁଣି କିଛି ଅନ୍ୟର
ସେ' ଅତୀତ, ସତେ ଅବା ପାଉଁଶ ତଳର ନିଆଁ
ସ୍ମୃତି ରୂପେ ଉଭା, ଏ' ଜୀବନ ବଞ୍ଚିବାର ରାହା
କବିତା ପୃଷ୍ଠାରେ ସ୍ମୃତି ଚମତ୍କାର ସର୍ବୋପରି
ଭାବନା ଢେ଼ଉରେ ଆପେ ନାଚି ଉଠେ ପ୍ରାଣ ଭରି
ସମୁଦ୍ର ତଟରେ ବାଲିଘର ସମ ସେଇ ସ୍ମୃତି
ସାଇତା ପୁରୁଣା ଚିଠି ,ସ୍ମୃତିର ଲିଖିତ ନଥି
ମନ ଆକାଶରେ ପ୍ରାୟ, ରୂପା ଜହ୍ନ ସମ ସ୍ମୃତି
ତାରା ର ଆଖି ମିଟିକା ,କିଛି ଜଣାଏ ସମ୍ପ୍ରତି
ମନ ଆଇନାରେ ସ୍ମୃତି ପ୍ରତିବିମ୍ଵିତ ପ୍ରାୟତଃ
ମିଠା ମିଠା ଅନୁଭୂତି କ୍ରମେ ହୁଏ କେନ୍ଦ୍ରୀଭୂତ
ଅତୀତର ସ୍ମୃତି ପେଢ଼ି ଆପେ ଖୋଲି, ଖୋଲା ଅଛି
ପ୍ରତ୍ୟେକ ମୁହୂର୍ତ୍ତର ସେ' ସ୍ମୃତି କାହାଣୀ କହୁଛି
ଅତୀତ ଚିତ୍ର ଚରିତ୍ର ସାଇତା ସ୍ମୃତି ରୂପରେ
ଉଜ୍ଜୀବିତ ସେହି ସ୍ମୃତି ଜୀବନ ଚଲା ପଥରେ
ସମୟ ଅପେକ୍ଷା କରେନି ମାତ୍ର, ସ୍ମୃତି ହିଁ ସ୍ଥାୟୀ
ଅସ୍ଥାୟୀ ସମୟ ପୁଣି ଏଇ ଜୀବନ ଅସ୍ଥାୟୀ
ସ୍ମୃତି ସହିତ ନିଜକୁ ବଞ୍ଚି ରହିବାକୁ ହେବ
ନିଜକୁ ନିଜ ରାସ୍ତାରେ ଆଗକୁ ବଢ଼ିବାକୁ ହେବ
ଜୀବନ କାଳ ରେ ଭଲ କର୍ମ ସ୍ମରଣୀୟ ହେବ
ଏ ଦୁନିଆ, ଗୁଣ ଯଶ କୀର୍ତ୍ତି ଗାୟନ କରିବ