ବୋଝ
ବୋଝ
ମୁଁ ବି କୁଆଁ କୁଆଁ କାନ୍ଦିଥିଲି-
ଠିକ୍ ପୁଅଟିଏ ପରି,
ଠୁକୁଠୁକୁ ଚାଲିଥିଲି ତୁମ ହାତଧରି,
ବୋଉ ହାତେ ଖାଇଥିଲି ଜହ୍ନମାମୁଁ ଦେଖି ....
ଧୂଳିରେ ବି ଗଡ଼ିଥିଲି,
ବାଲିଘର ଗଢ଼ିଥିଲି,
ପାଠ ବି ତ ପଢ଼ିଥିଲି ତୁମ ନାଁ ରଖି ।।
ଜାଣିନି ମୁଁ କେତେବେଳେ-
ହେଇଗଲି ବଡ଼,
ଗାଁ ତୁଠ ପୋଖରୀରେ ପଡ଼ିଲା ପାହୁଡ଼,
କେବେ ବର୍ଷାରେ ଭିଜୁଥିଲି ଇନ୍ଦ୍ରଧନୁ ଦେଖି....
ମଉନ ବି ରହୁଥିଲି,
ଆନମନା ହେଉଥିଲି,
ସପନେ ବି ହଜୁଥିଲି ମେଲି ବେନିଆଖି ।।
ଠିକ୍ ସେଇଦିନୁ...
ଜାତକରେ କଲ ମୋର- ଜୀବନ ସଉଦା,
ସାଜିଦେଇ ପାଲିଙ୍କିରେ କରିଦେଲ ବିଦା,
ମୁଁ କିଆଁ ଏକା ସାତପର ହେଇଗଲି !
ମୁଁ ବି' ତ କାନ୍ଦୁଥିଲି,
ତୁମ ଲୁହ ପଢ଼ୁଥିଲି,
ତୁମେ ବୋଧେ ଭାବିନେଲ "ବୋଝ" ଟିଏ ବୋଲି ।।