ମୁଁ
ମୁଁ
କେବେ ଗଣିନି ବିତିଯାଇଥିବା ଦିନସବୁ,
ମାପିନି ବି ମୋ' ପାଇଁ କାହା ପ୍ରେମର ଗଭୀରତା ;
ଘଟଣା ଦୁର୍ଘଟଣାର ଢେଉ ଭିତରେ -
ଭାସି ଚାଲିଥିବା ବେଫିକର ନାଆଟାଏ ମୁଁ...
ନୀରବତାର ଶୀତଳ ସମୀର ଛୁଆଁରେ ଆକ୍ତାମାକ୍ତା।
କେବେ କହିନି ଉଙ୍କି ଉଠୁଥିବା କଥାସବୁ,
ପାଇନି ବି ମୋ' ପାଇଁ କାହା ଭାଗରୁ କାଣିଚେ ସମୟ ;
ପର ଆପଣାର ପରିଧି ଭିତରେ -
ଚୁପଚାପ ହେଇ ବସିଥିବା କେନ୍ଦ୍ରବିନ୍ଦୁଟାଏ ମୁଁ...
ଅଗଣିତ ବ୍ୟାସ ଆଉ ବ୍ୟାସାର୍ଦ୍ଧର ଫାଙ୍କେ ଖୋଜେ ପରିଚୟ।
କେବେ ଜାଳିନି ଧସେଇ ପଶୁଥିବା କୋହସବୁ,
ପାରିନି ବି ମୋ' ପାଇଁ କାହା ହୄଦୟର ଜ୍ୱାଳାକୁ ଲିଭେଇ ;
ଭୁଲ୍ ବୁଝାମଣାର ଅନ୍ଧାର ପକେଟ ଭିତରେ -
ଆଲୁଅର ସ୍ୱପ୍ନ ଦେଖୁଥିବା ଚଉତା ରୁମାଲଟାଏ ମୁଁ...
ଓଦାହୁଏ ଆଉକାହା ନିଗିଡ଼ା ଲୁହରେ ନିଜକୁ ଭିଜେଇ।
