ମୁଁ ଧର୍ମପଦ ମାଆ
ମୁଁ ଧର୍ମପଦ ମାଆ
ତୁମେ କି ଦେଖିଛ ମୋ ପୁତ୍ର କେଉଁଠି
ହରାଇ ଦେଇଛି ଆଜି
କେତେ ପଥ ଘାଟ ଅନ୍ୱେଷଣ କରି
ଲୋତକେ ଗଲିଣି ଭିଜି ।
ପଡ଼ିଛି ମୋ ପାଦ ଅର୍କକ୍ଷେତ୍ରେ ଆସି
ଦେଖୁଛି ତା କୁନି ପାଦ
ସେ ପାଦ ନାଦରୁ ପ୍ରତିଧ୍ୱନି ଫୁଟେ
ମାଆ ମାଆ ବୋଲି ଶଦ୍ଦ ।
ତଥାପି ତାହାକୁ ପାଉ ନାହିଁ ହାତେ
ଦିଶୁନି ବଦନ ତାର
ମନ ତଳେ କେତେ ପ୍ରଶ୍ନ ଉଙ୍କିମାରେ
ରାଜାଙ୍କର ଅବିଚାର ।
ଆପଣା ଗରବ କୀରତି ପାଇଁ କି
ମୋ କୋଳ କରିଲେ ଶୂନ୍ୟ
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ସ୍ଥାନ ଏ କୋଣାର୍କ
ମୋ ପୁତ୍ରର ନାହିଁ ନାମ ।
ଦିବା ରାତି ମିଶି ବାରଶ ବଢେଇ
ନିହଣ ମୁଗୁର ଧରି
ଗଢି ଦେଲେ ଏହି ଭବ୍ୟ ମନ୍ଦିରକୁ
ଛାତିରୁ କଂକାଳ ଚିରି ।
ନିର୍ଜନ ନିଃଶଦ୍ଦ ରାତି ଅନ୍ଧକାରେ
ଆର୍ତ୍ତନାଦ ରକ୍ଷାକର
ସଂପୂର୍ଣ୍ଣ ନୋହିଲେ ମନ୍ଦିର ଶିଖର
ପ୍ରାଣ ହେବ ନାରଖାର ।
ବିଫଳ କାଳରେ ଧରମା ପୁଅ ମୋ
ପୋଛିଲା ଆଖିରୁ ପାଣି
ବାରଶ ବଢେଇ ଜୀବନ ବଞ୍ଚାଇ
ଲେଖିଲା ଶେଷ କାହାଣୀ ।
କିଏ ପାଇ ଗଲା ସ୍ଵାମୀର ପରାଣ
କିଏ ପାଇ ଗଲା ଭାଇ
ସାଗର ଗର୍ଭରୁ ନ ବାହୁଡେ ପୁତ୍ର
ଅହରହ ଝୁରୁ ଥାଇ ।
ବେଳାଭୂମି ତଟ ଘୁରି ବୁଲୁ ଥାଏ
ଘାଣ୍ଟି ମୁହିଁ ଲୁଣି ଜଳ
ଶାମୁକା ଭିତର ମୁକୁତା ପରିକା
ଦିଶେ ନେତ୍ର ଛଳଛଳ ।
ଶୁଭ୍ର ଉର୍ମିମାଳା ଯେବେ ପାଦ ଛୁଏଁ
ଚମକି ଉଠେ ମୋ ମନ
ଅନୁଭବ ଦିଏ ପରଶ ତାହାର
ସତେ ମୋ ବିଶିକେଶନ ।
ବାତୁଳ ପରାଏ ଛାତି ପିଟି କୁହେ
ଉତ୍କଳ ବୀର ରମଣୀ
ମୋ ରକ୍ତ ଦାନରେ ଗଢିଛି କୋଣାର୍କ
ସେ ସର୍ବଦା ମୋର ଋଣି ।
ମମତା କାନିରେ ଢାଙ୍କିଛ ପୁତ୍ରକୁ
ତୁମେ ତ ଏ ଦେଶ ମାତା
ତୁମ ପରି ମୁହିଁ ଯନ୍ତ୍ରଣା ପାଇଣ
ଦୁଃଖେ ଥିଲି ଅନ୍ତସତ୍ତା ।
ସକଳେ ଆସିଲେ ଏହି ମନ୍ଦିରକୁ
ଭାବି ନେଇ ନାଟ୍ୟଶାଳା
କେହି ଦେଖିଲେନି ଧର୍ମପଦ ତ୍ୟାଗ
ବଳିଦାନ ଶବ ଭେଳା ।
ପୁତ୍ରହରା ମାତା କାହାକୁ କହିବ
କିଏ ଅଛି ଦୁନିଆଁରେ
ଆଖି ଲୁହ ଏଠି ଲହୁ ପାଲଟିଛି
ତାକୁ ପାନ କରି ମରେ ।
ପହିଲା ସୂରଜ ରଶ୍ମି ରେଣୁ ଆସି
ମନ୍ଦିରେ ଭୂମିଷ୍ଠ ହେଉ
ଭଗ୍ନଶାଳା ମଧ୍ୟେ ମୋ ପୁତ୍ରର କୀର୍ତ୍ତି
ଉଜ୍ଜଳିତ ରହି ଥାଉ ।