କରୋନା
କରୋନା
ହେ ନନ୍ଦ ଗୋପାଳ କରି ଏତେ ଛଳ
ସମୟ ଦେଲ ବଦଳି
ଯାହାକୁ ଭାବିଲି ସୁଖ ଦୁଃଖ ସାଥୀ
ସେତ ଦେଲା ମୋତେ ଗିଳି ।
ଭାବିଲି କରୋନା ଆସି ଭଲ କଲା
ଲୋକ ତ ପାଇବେ ଶିକ୍ଷା
ଆପଣା ଜୀବନ ବଞ୍ଚାଇବା ପାଇଁ
ମାଗୁଛି ଆଜି ମୁଁ ଭିକ୍ଷା ।
ନମାନନ୍ତି ଏଠି କିଞ୍ଚିତ ନିୟମ
ଠେଲା ପେଲା ହୋ ହାଲ୍ଲା
ତୁଣ୍ଡି ଛିଣ୍ଡି ଯାଏ ଜନ ଗହଳିରେ
ହାଟ ଘାଟେ ହେଲି ଚହ୍ଲା ।
ତୁମ ବିନା ପ୍ରଭୁ କେହି ରଖିବେନି
ମୋର ଏଇ ମାଟି ପିଣ୍ଡ
ଫେରାଇ ଦିଅନି ଶୁନ୍ୟ ହାତେ ମୋତେ
ଆସିଛି ମୁଁ ବଡ଼ଦାଣ୍ଡ ।
ତତଲା ବାଲିରେ ପାଦ ପୋଡ଼ି ଯାଏ
ତା ସାଙ୍ଗରେ ପୋଡେ ମନ
ଲିଭାଇ ଦିଅ ହେ କରୋନା ଭୁତାଣୁ
ନରଖିବ ଆଉ ଚିହ୍ନ ।