ପ୍ରେମ ପ୍ରଚକ୍ଷୁ
ପ୍ରେମ ପ୍ରଚକ୍ଷୁ
ଆକର୍ଣ୍ଣ ଫଟା ଶଦ୍ଦ କେଉଁଠୁ ଆସୁଛି
ଓଃ କି ଦୁଷ୍ଟ ଏଇ ନାତି
ଦେଲା ମୋର ଚଶମାଟା ଭାଙ୍ଗି ଦେଲା,
କ'ଣ ଯେ କରିବି ?
ଅଣ୍ଡାଳି ଅଣ୍ଡାଳି ଯିବାକୁ ପଡିବ ।
ଆରେ ! ଏ କି ଅନୁଭବ ?
ଅନେକ ଦିନର ଅଭୂଲା ସ୍ମୃତି ?
ନା ମୁଁ ଭୂଲ ଭାବୁଛି .....
ତାହାଲେ କ'ଣ ମୁଁ ସ୍ବପ୍ନ ଦେଖୁଛି ?
କିଏ ....କିଏ ତୁମେ ?
ତୁମ ନାଁ କ'ଣ
ସୁମଧୁର ସ୍ଵର ଭାସି ଆସିଲା
ଚିହ୍ନି ପାରୁନ ? କାହିଁକି ବା ଚିହ୍ନିବ ?
ତୁମେ ତ ମୋତେ ପୁରା ପୁରି ଭୂଲି ଯାଇଛ ।
ନିଜର ବୋଲି ଭାବି ଥିଲେ କ'ଣ .....
ଆରେ ସତରେ ମୁଁ ବୁଢ଼ା ହୋଇଗଲିଣି
ଠଉରେଇ ପାରୁନି ।
ମୁଁ କଣ ବୁଢି ହୋଇନି ?
ମୁଁ ତ ତୁମର ସ୍ନେହ ବୋଳା କଥାକୁ ଭୂଲିନି ।
କଥା କଥାକେ ଆକଟି ଅଧିକାର ଜାହିର
କରି କୁହ, ତୁମ ଦେହ ଖରାପ ହେଲେ ମୁଁ
ସବୁଠାରୁ ବେଶି ଦୁଃଖି ହେବି ।
ଖାଦ୍ୟ ପାନୀୟ ରେ କେତେ ଖିଆଲ ରଖ ।
କୁହ , ଭୂଲି ଗଲ କି ?
ହଁ ହଁ ଟିକିଏ ଟିକିଏ ମନେ ପଡୁଛି ।
ଶୁଣିବାକୁ ଭାରି ଭଲ ଲାଗୁଚି ।
ଏକାକୀ ବାର୍ଦ୍ଧକ୍ୟ ଜୀବନ ସଂଘର୍ଷ .....
ମୁଁ ଜାଣେ ତେବେ ତ ......
ଗୋଟେ ବାହାନା କରି ତୁମ ପାଖକୁ ଚାଲି ଆସିଲି ।
ଏମିତି ଦିନ ଥିଲା
ନିଆଁ ଜଳା ଯୌବନ କୁ ନେଇ ନିନ୍ଦା ଅପନିନ୍ଦା
ଚିନ୍ତା ଥିଲା , ଯାହା ସମୟକ୍ରମେ ପରିସମାପ୍ତି ।
ତେବେ କହି ପାରିବ ?
ବୟସ ଢଳିଛି , ଜୀବନ ସଂଧ୍ୟା ଉପନିତ
ପକ୍ୱ ଧଳା କେଶ ଫୁର୍ ଫୁର୍ ଉଡ଼ି
ଶେଷ ସମୟର ସଂକେତ ଦେଲାଣି ,
ଚର୍ବଣ ଶକ୍ତି ହ୍ରାସ ପାଇ ଯୂଷ ପାନୀୟରେ ରୁଚି,
ଆଶା ବାଡି ଅନ୍ତିମ ସମ୍ବଳ ।
ତେବେ ଏବେ ବି ଏ ମନ .....
କାହିଁକି ଝୁରେ ଆପଣାର ଲୋକଙ୍କୁ
ପ୍ରେମର କ'ଣ ମୃତ୍ୟୁ ନାହିଁ ?
ଖୁବ୍ ଭଲ କଥା ଟିଏ କହିଲ ।
ଆଜି ମାଧବୀ କଥା ଭାରି ମନେ ପଡୁଛି ।
ସେ ଏମିତି ସୁନ୍ଦର ଯୁକ୍ତି ଏବଂ ପ୍ରଶ୍ନ
କରିବାକୁ ଭାରି ପସନ୍ଦ କରେ ।
ଆରେ , ପ୍ରେମ କଣ ରକ୍ତ ମାଂସ ଧାରୀ ଜୀବ,
ସେ ଚିର ଶାଶ୍ଵତ ଅମର ।
ତେବେ କ'ଣ ତୁମେ ମୋର ସେଇ
ପ୍ରିୟା ମାଧବୀ ?
ଏ କ'ଣ ମୁଁ ସ୍ବପ୍ନ ଦେଖୁନି ତ ?
ଏତେ ଦିନ ତୁମେ କେଉଁଠି ଥିଲ ?
ପରିସ୍ଥିତିର ଦାସତ୍ୱ ସ୍ବୀକାର କରି
ତୁମ ଠାରୁ ମୁଁ ବିଚ୍ଛେଦ ।
ହେଲେ , କେବଳ ସ୍ଥାଣୁ ରୂପେ ...
ଥରେ ଆଲିଙ୍ଗନ କର
ଥରେ ସ୍ପର୍ଶ କରି ତୁମ ଆଗମନର
ସଂକେତ ଦିଅ ?
ଭାରି ଭୟ ଲାଗେ ଏଇ ଦୁନିଆଁକୁ
ଏତେ ପ୍ରତାରଣା ସହିଛି ଯେ
ନିଜ ଉପରୁ ଭରଷା ଉଠି ଯାଇଛି ।
ନିଶ୍ଚୟ ଆଲିଙ୍ଗନ କରିବି ।
ତୁମେ ମୋର .... ତୁମେ ମୋର
ସେଇ ଅବୁଝା ପ୍ରେମିକ ......
ମୁଁ ତୁମ ଅଧୁରା ପ୍ରେୟସୀ ।
ମୁଁ ତୁମର ସାଥୀ ମାଧବୀ ,
ଆମର ମିଳନ ବାସ୍ନା ଭରା ଜୀବନ
ମହକି ଗୀତି କବିତାରେ ପରିଣତ ହୋଇ
ଜଗତକୁ ରଙ୍ଗିନ୍ କରି ଦେଉ .......
ଏତିକି ଚାହେଁ ।