STORYMIRROR

BANANIBALA NAIK

Tragedy Inspirational Others

4  

BANANIBALA NAIK

Tragedy Inspirational Others

ମଣିଷ ରଚୁଛି ମହାଭାରତ

ମଣିଷ ରଚୁଛି ମହାଭାରତ

2 mins
39


ଦ୍ଵାପର ଯୁଗରେ କୁରୁ ପାଣ୍ଡବ ରେ

ହୋଇଲା ମହାଭାରତ,

 ସ୍ୱାର୍ଥେ ହୋଇ ଅନ୍ଧ ପରିବାର ମଧ୍ୟେ

ହେଲା ବ୍ୟର୍ଥ ରକ୍ତ ପାତ ।।

ଅଧର୍ମ ର ନାଶ ଘଟଇ ଅବଶ୍ୟ

ସର୍ବଥା ଧର୍ମ ର ଜୟ,

ରଥି ମହାରଥୀ ଅଧର୍ମ ଆଶ୍ରୟୀ

ଲଭେ ନିଶ୍ଚେ ପରାଜୟ ।।

ସତୀ ଶିରୋମଣି ଜନନୀ ଗାନ୍ଧାରୀ

ଆଶୀର୍ବାଦ ଫଳ ଫଳେ,

ବିଜୟୀ ହୋଇଲେ କୁନ୍ତୀ ପାଞ୍ଚ ପୁତ୍ର

କୁରୁ ମୁଣ୍ଡ ଗଡେ ତଳେ ।।

ଧର୍ମ ର ସହିତ ଅଧର୍ମ ର ଯୁଦ୍ଧ

ଯୁଗେ ଯୁଗେ ଅନୁଷ୍ଠିତ,

ଧର୍ମ ଧ୍ଵଜା ଉଡେ ପ୍ରଭୁଙ୍କ କୃପା ରେ

ଧର୍ମ ଦ୍ରୋହୀ ଭୂଲୁଣ୍ଠିତ ।।

ଧର୍ମ ସଂସ୍ଥାପନେ ପ୍ରଭୁ ପରଂବ୍ରହ୍ମ

ଅବତରୀ ମହୀ ତଳେ,

ଅଧର୍ମ କୁ ନାଶ କରନ୍ତି ସବଂଶ

କଳେବଳେ କଉଶଳେ ।।

ସତ୍ୟ ତ୍ରେତା ଆଉ ଦ୍ଵାପର ଯୁଗରେ

ହରି ନେଲେ ଅବତାର,

ନାନା ରୂପ ଧରି ପ୍ରଭୁ ଦଇତାରୀ

କରିଲେ ମ୍ଲେଚ୍ଛ ସଂହାର ।।

ଏ କଳି କାଳରେ କଳ୍କୀ ଅବତାରେ

ଜନ୍ମ ନେବେ ଚକ୍ର ଧର,

ଧରଣୀ ମାତା ଙ୍କୁ ପାତକୀ କବଳୁ

କରିବେ ନିଶ୍ଚେ ଉଦ୍ଧାର ।।

କଳି କାଳେ ପାପ ହେଲାଣି ପ୍ରବଳ

ଘଟୁ ଅଛି ବିପରୀତ,

ଆପଣା ମଧ୍ୟରେ ମଣିଷ ରଚୁଛି

ନିଇତି ମହାଭାରତ ।।

ସ୍ୱାର୍ଥେ ଅନ୍ଧ ହୋଇ ହଜିଲା ବିବେକ

ଦୟା,କ୍ଷମା,ସ୍ନେହ,ପୁଣି,

ସତ୍ତ୍ଵ ଗୁଣ ସର୍ବ ହୁଏ ଅନ୍ତର୍ହିତ

 ଷଡରିପୁ ଖାଏ ଝୁଣି।।

ଆପଣା ମଧ୍ୟରେ ହୁଏ ହଣାକଟା

ଦୋଷାରୋପ ପରସ୍ପର,

ନିଜ ଭୁଲ୍ କେହି ବୁଝି ପାରନ୍ତି ନି

ଦୃଢ଼ ଯୁକ୍ତି ବଳିଆର ।।

ମାନି ଦୁର୍ଯ୍ୟୋଧନ ପାପୀ ଦୁଃଶାସନ

ନାହାନ୍ତି ଅଭାବ ଏଠି,

ଅନ୍ଧ ଧୃତରାଷ୍ଟ୍ର ସମ ପୁତ୍ରମୋହୀ

ଭରିଛନ୍ତି ଏଠି ସେଠି ।।

ପଶାକାଠି ପ୍ରିୟ ମାତୁଳ ଶକୁନି

ଛନ୍ତି ପ୍ରତି ଘରେ ଘରେ ,

ପ୍ରତିଶୋଧ ବହ୍ନି ଜଳେ ପ୍ରତିକ୍ଷଣ

ଭଗ୍ନୀ ବଂଶ ନିପାତ ରେ ।।

ଗଙ୍ଗାସୁତ ସମ ମହାଜ୍ଞାନୀ ଥାଇ

ଅଧର୍ମେ ହୁଅନ୍ତି ସାଥୀ,

ଦ୍ରୋଣ,କର୍ଣ୍ଣ ପରି ବିବୁଧ ଅଜ୍ଞାନେ

ଧର୍ମକୁ ହୁଙ୍କାରି ଥାନ୍ତି ।।

ନିତି ପ୍ରତି ହୁଏ ବସନ ହରଣ

କୃଷ୍ଣା ହୁଏ ବିବସନା,

କାହିଁ ଗଲେ କୃଷ୍ଣ ସୁଦର୍ଶନ ଧାରୀ

ବିଧିର ଏ ବିଡମ୍ବନା ।।

ହେଲାଣି ପ୍ରବଳ କଳି କାଳ ଖେଳ

ସବୁଠି ମହାଭାରତ,

କଳ୍କୀ ଅବତାରେ ଜନ୍ମ ନେବେ ପ୍ରଭୁ

ପୃଥିବୀ ହେବ ଉଷତ।।

ଅଭିମନ୍ୟୁ ବଧ କରନ୍ତି ନିର୍ଦ୍ଦୟେ

ବ୍ୟୁହ ରଚି ପରିଜନ,

ନିରୀହ ନିଷ୍ପାପ ବଳି ପଡ଼ି ଯାଏ

ଧର୍ମ ପାଇଁ ଆତ୍ମ ଦାନ ।।

କର୍ମ ଘେନି ଫଳ ମିଳଇ ସଭିଙ୍କୁ

ଦୁଇ ଦିନ ଭବହାଟ,

ଆପଣା ନିଃଶ୍ୱାସେ ନ ଥାଏ ବିଶ୍ୱାସ

ଛାଡ଼ି ଯିବ କେବେ ଘଟ ।।

ସଂସାର ମାୟାରେ ଘାଣ୍ଟି ହେଉ ଅଛି

ସରଗ କୁ ସିଡ଼ି ନାହିଁ,

ଏତେ ସପନ କୁ ରଜନୀ ନିଅଣ୍ଟ

ଦିବା ସ୍ବପ୍ନ କାହିଁ ପାଇଁ ??

ମଣିଷ ରଚଇ ମହାଭାରତ

ସ୍ବାର୍ଥ ଦୀପେ ଅହଂ ଘୃତ,

ମାଟିର ମଣିଷ ମିଶିବ ମାଟିରେ

ପ୍ରାଣଦୀପ ନିର୍ବାପିତ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy