ମୁଁ ନାରୀ
ମୁଁ ନାରୀ


ମୁଁ ନାରୀ
ମୋ ଲାଗି ଚାଲେ ସଂସାର ତରି
ମୋ ବିନା
ସଂସାର ନୁହେଁ କଳ୍ପନୀୟ
ତଥାପି
ମୁଁ ସଭିଙ୍କ କିପରି ଭଗାରି
ମୁଁ ଜନନୀ
ମୁଁ ଭଗିନୀ
ମୁଁ ଅଟେ ପୁଣି ଜାୟା
କ ଠାରୁ ଖ
ମାଟିରୁ ମଟାଳ
ସ୍ବର୍ଗରୁ ପାତାଳ
ସବୁଠାରେ ପରିବ୍ୟାପ୍ତ ମୋ କାୟା
ସମାଜ ଗଠନରେ
ମୋର ରହିଛି ସମାନ ଭୂମିକା
କିସ ପାଇଁ ତେବେ
ପୁରୁଷର ଏତେ ଆସ୍ଫାଳନ
ଏତେ ସବୁ ମିଛ ଅହମିକା.
ମୁଁ କ'ଣ ସତରେ
ଲେଖା ଅଟେ ବ୍ରେଲି ଲିପିରେ
ଯେ ନଛୂଇଁଲେ ପଢି ହେଉ ନାହିଁ
ମୁଁ କ'ଣ ସତରେ
ଏତେ ନିରବ ନିଶ୍ଚଳ
ଯେ ଶ୍ରାବ୍ୟ ଧ୍ବନି ତରଙ୍ଗ ସୃଷ୍ଟି କରିପାରେନାହିଁ
ଯେ ମୋ ପାଟି କାନ ପାଖକୁ
ନ ଆସିଲେ ମୋ କଥା ଶୁଭେ ନାହିଁ
ମୁଁ କ'ଣ ସତରେ
ଜୀଇଁ ଥାଉଁଥାଉଁ ମୃତ
ଯେ କଥା ପଦେ ପାଟିରୁ ହୁଏନି ନିଃସୃତ
ମୋ ମୃତ୍ୟୁ କ'ଣ ସତରେ
ଏତେ ଅଧିକ ରହସ୍ୟାବୃତ
ଯେ ମୋତେ ବିବସନ୍ନା କରି
ମୋ ଶରୀର ପ୍ରତିଟି ଅଙ୍ଗକୁ
ପୋଷ୍ଟମର୍ଟମ କରଇ ତନ୍ନ ତନ୍ନ କରି
ଲମ୍ପଟ ପୁରୁଷ ନ ହୋଇ ତିଳେ ବି କୁଣ୍ଠିତ
ମୁଁ କ'ଣ ଏତେ ଦୁର୍ବଳ
ଯେ ମୋତେ ଛବିରାଣୀ ନିର୍ଭୟା
ଅବା ଇତିଶ୍ରୀ ଭଳି ନିରୀହ ମୃଗୀସମ
ନିର୍ମମ ପଶୁ ସିଂହ ବାଘର ଶିକାର ହେବାକୁ ହୁଏ
ମୁଁ କ'ଣ ଏତେ ନିଃସହାୟ
ଯେ ମୋ ପାଇଁ ଶୁଭେନା
କାହା ଠାରୁ ଆହା ବୋଲି ପଦେ
କେହି ବଢାଏନି
ସାହାଯ୍ୟର ହାତ
ଜୀବନ ବିହୁନେ ଝସ ସମ
ଛଟପଟ ହୋଇ ଟହଳ ବିକଳେ ମରିବାକୁ ହୁଏ
ମୁଁ କ'ଣ କଅଁଳା ଶିଶୁଟିଏ
ଯେ ମୋତେ ଖୁଆଇଦେଲେ
ସେମାନଙ୍କୁ ଏତେ ଆନନ୍ଦ ମିଳେ
ମୋ ହାତରୁ କ'ଣ
ମଧୁ ଝରୁଥାଏ
ଯେ ପାଗଳ ହୋଇ
ମୋ ହାତରୁ ଖାଇବାକୁ ଚାହେଁ
ଭୁଲିଯାଏ ଲଜ୍ଜା ପାଗଳମନା ଭୋଳେ
ଟିକିଏ ଅନ୍ଧକାର ଥିଲେ
ଅବା ନିକାଞ୍ଚନ ରାସ୍ତା ହୋଇଥିଲେ
ସିଂହ ବ୍ୟାଘ୍ର ସମ
ଅସଭ୍ୟ ପୁରୁଷ ତା ପଞ୍ଝା ମେଲାଇ
ମୋ ନିଃସହାୟତାର ସୁଯୋଗରେ
ମୋ ଉପରକୁ ଲମ୍ପଦେଇ
ମୋତେ କ୍ଷତ ବିକ୍ଷତ କରିଚାଲେ
କେତେ ଦିନ ଏମିତି ମୁଁ
ସହି ଚାଲିଥିବି ନିରବରେ
ମୁୁଁ ସତରେ କ'ଣ
ଏତେ ପରାଧିନ ଏତେ ଦୁର୍ବଳ
ଯେ ପରମୁଖାପେଖି ହୋଇ ବଞ୍ଚିଥିବି
ମୁଁ ଆଉ କେତେ ଦିନ
ନିଜ କାମ ନିଜେ ନକରି
ଅନ୍ୟ ଉପରେ ଅଯଥା ନିର୍ଭରଶୀଳା
ଅନ୍ୟର ଭୋଗ୍ୟ ବସ୍ତୁଟିଏ ହୋଇ ବଞ୍ଚିଥିବି
ମୁଁ କ'ଣ ଏତେ ଶକ୍ତିହୀନା
ଯେ ଲଢିପାରିବି ନାହିଁ
ମୋ ଅଧିକାର ପାଇଁ
ମୋ ମର୍ଯ୍ୟାଦା ପାଇଁ
ମୋର ସ୍ବାଧିନତାପାଇଁ ନ୍ୟାୟର ଲଢେଇ
ଆଉ ନୁହେଁ
ସାଜିବି ମୁଁ ମହିଷମର୍ଦ୍ଦିନୀ
ସାଜିବି ମୁଁ ରଣଚଣ୍ଡୀ
ସାଜିବି ମୁଁ ଝାନସୀର ରାଣୀ ଲକ୍ଷ୍ମୀବାଈ
ମୋ ସମ୍ମାନ ମୋ ଅଧିକାରପାଇଁ
କରବି ମୁଁ ବଜ୍ର ଶପଥ
ଲଢିବି ମୁଁ ମୋ ଶେଷ ଲଢେଇ
ମନେ ରଖ
ହେ ପୁରୁଷ ଜାତି
ମୁଁ ଅଟେ ଦୁହିତା
ହେଉଅଛି ଦୁଇକୁଳ ଲାଗି ହିତା
ଭାବିବନି ତୁମେ ଜମା
ଏହା ମୋର ଅଟେ ଦୁର୍ବଳତା
ତୁମ ଖୁସି ତୁମ ଭଲଚାହିଁ
ତିଳ ତିଳ କରି ଜାଳୁଛି ନିଜକୁ
ଜଳୁଅଛି ନିଜେ ମୁହିଁ ସାଜିଣ ସଳିତା
ମନେରଖ ତୁମେ
ହେ ସ୍ବାର୍ଥାନ୍ବେଷୀ ପୁରୁଷ ଜାତି
ମୁଁ ଅଟେ ଦୁହିତା
ସାଜିପାରେ ଦଶଭୂଜା
ଦୁଇକୁଳ ପାଇଁ ହୋଇପାରେ ପିତା
ତୁମେ ଜାଳୁଅଛ ମୋତେ
ମୁଁ ହସି ହସି ଜାଳୁଛି ନିଜକୁ ବୋଲି
ମନେରଖ ଏହି କଥା
ଏଇ ସଳିତା ସୃଷ୍ଟି କରିପାରେ ଅଗ୍ନିର ସ୍ଫୁଲିଙ୍ଗ
କରିପାରେ ବିଷ୍ଫୋରଣ ଡିନାମାଇଟର
ସୃଷ୍ଟି କରିପାରେ ପରମାଣୁ ବିଷ୍ଫୋରଣର ଭୟାବହତା
ରଚିପାରେ ଧ୍ବଂସର ତାଣ୍ଡବ
କରିପାରେ ଧ୍ବସ୍ତ ବିଧ୍ବସ୍ତ
ତୁମ ଗର୍ବ ଅହମିକା
ତୁମର ଯେତେ ସବୁ କୁକର୍ମ
ଯେତେ ସବୁ କୁଭାବନା ଅପରିଣାମଦର୍ଶିତା
ଆଜିର ଏହି
ମହାମାରୀ ପ୍ରପୀଡିତ ସନ୍ଦିକ୍ଷଣେ
କରୁଅଛି ମୁହିଁ ନିବେଦନ
ବନ୍ଦ କର ନାରୀ ପ୍ରତି ଅବିଚାର
ବନ୍ଦ କର ନାରୀ ପ୍ରତି ବେଇମାନୀ
ବନ୍ଦ କର ନାରୀ ପ୍ରତି ଯେତେ ହିଂସା
ନହେଲେ ଜାଣି ରଖ
କରୁଛି ମୁଁ ଭୀଷ୍ମ ପ୍ରତିଜ୍ଞା
ସାଜିବି ମୁଁ ରଣେ ରଣଚଣ୍ଡୀ
ପରମାଣୁ ବୋମାରେ ହୀରୋସୀମାସମ
ଜାଳି ପୋଡି କରିବି ପାଉଁଶ
ଛାରଖାର କରିବି ତୁମକୁ
ଅଚିରେ ବୁଡାଇ ଦେବି ମୁଁ ତୁମର ହଂସା ।