STORYMIRROR

Sujata Mohapatra

Tragedy

4  

Sujata Mohapatra

Tragedy

ଖରା

ଖରା

1 min
277

ଖରା... ଧୁ ଧୁ ଖରା


କଟା ଗଛ

ଫଟା ବିଲ

ଶୁଖା ନଈ

ଲଣ୍ଡା ପାହାଡ

ସବୁଠି ଖାଲି ଖରା ଆଉ ଖରା

ବିଲୁପ୍ତ ପକ୍ଷୀ ଆଉ ନୀଡ଼


ଶୂନଶାନ ଗାଁ

ଖାଁ ଖାଁ ଘର

ଶୂନ୍ୟ ନଈ ପଠା

ନିଶୁନ ତୋଟା ମାଳ

ସବୁ କିଛି ଶୂନ ଶାନ ଏଠି

ସବୁ ଆଡେ ଖାଲି ଶୂନ୍ୟତା ର ଖେଳ


ମନ୍ଦିର ରେ ଶୁଭେ ନାହିଁ ଘଣ୍ଟ

ପୋଖରୀ ରେ ନାହିଁ ଜଳ କେଳୀ

ଚଇତ୍ର ରେ ନାଚେ ନାହିଁ ଘୋଡା

ଗାଁ ମୁଣ୍ଡେ ନାହିଁ ରଜ ଦୋଳି

ଶ୍ରୀହୀନ ହୋଇଛି ତ ଗାଆଁ

ଦାଦନ ର ଚାବୁକ ପ୍ରହାରେ

ଚମଘୋଡା ଆଖିର ସେ ପ୍ରଶ୍ନ 

କିଏ ଏଠି କାହାକୁ ପଚାରେ!!


ଦୂର ଦେଶେ ଖବର ଯାଇଛି

ପୁଅ ମୋର ଉଡି ଆସୁଅଛି

ଦଣ୍ଡେ ରହ ଦଣ୍ଡେ ରହ ପ୍ରାଣ

ଆସିବ ମୋ ପୁଅ ଅଛି ରାଣ

ସେହି ପରା ଦେବ ମୋତେ ଗତି

ହାତେ ତା'ର ପାଇବି ମୁଁ ମୁକ୍ତି

କାନ୍ଧେ ତା'ର ବୋହି ନେବ ଯେବେ

ପ୍ରତୀକ୍ଷା ର ଅନ୍ତ ହେବ ସେବେ


ସୀମାହୀନ ରାଜରାସ୍ତା ପରେ

ଲକ୍ଷହୀନ ମଣିଷ ଧାଉଁଛି

ଚତୁର୍ଦିଗେ ଖରା ଖାଲି ଖରା

ମରୀଚିକା ପଛେ ଗୋଡାଉଛି

ସବୁଜିମା ଲୁଚେ ଦିଗ୍ବଳୟେ

ଧୁସରିତ କଂକ୍ରିଟ ବଳୟେ

ନଭଚୁମ୍ବି ଅଟ୍ଟାଳିକା ପରେ

ମଣିଷତ୍ଵ ନିତି ସତ୍ତା ହାରେ


ଶୂନ ଶାନ ରାସ୍ତାଘାଟ ପୁଣି

ଶୂନ ଶାନ ଭିତର ବାହାର

ମରୀଚିକା ମୟ ପୃଥିବୀର

ମୁଁ ଏକ ଛାର ମରୁଚର

ଧୂ ଧୂ ଖରା ଖାଲି ଖରା

ମଣିଷ ର ଭିତର ବାହାର

ସବୁ କିଛି ସୁଖ ଅଛି ଭରି

ଶାନ୍ତି କିନ୍ତୁ କାହିଁ କେତେ ଦୂର


ଖରା ଖାଲି ଖରା ର ରାଜୁତି

ଦେଖି ତାକୁ ଲାଗେ ମନେ ଭିତି

ଜାଳି ପୋଡି ପାଉଁଶ କରିବ

ଚିତାଗ୍ନି କୁ କିଏ ସାଇତିବ

ମନୁଷ୍ୟତ୍ୱ ଅକାଳ ରେ ମରେ

ଇର୍ଷା, ଦ୍ୱେଷ ନିତି ବାଜି ମାରେ

ବିଶ୍ୱାସ ତ କାହିଁ କେତେ ଦୂର

ସରଶଯ୍ୟା ଆତ୍ମସମ୍ମାନ ର


ମାଟି ମାଁ ପୁଅ କୁ ତା' ଝୁରେ

ନଗ୍ନ କ୍ଷେତ ପ୍ରଶ୍ନ ଯେ ପଚାରେ

ପୁଅ ତା'ର କେବେ ବା' ଫେରିବ

ଧାନ କ୍ଷେତେ ସୁନା ଫଳାଇବ

ମାଁ, ମାଟି ଜୀବନ୍ୟାସ ପାଇ

ଗାଁ ଭୂଇଁ ପୂର୍ଣ୍ଣଗର୍ଭା ହେବ

ତୋଟା ମାଳ ଆମ୍ବ ଗଛ ମୂଳେ

ସୁନା ଖରା ଚୂନା ହୋଇଯିବ


ଧୂ ଧୂ ଖରା ବେଳ ଟାରେ 

ସତେ କ'ଣ ପୁଅ ତା' ଫେରିବ!!!!



ସୁଜାତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy