ମୋ ବୋଉର ପଣତ
ମୋ ବୋଉର ପଣତ


ନିବୁଜ ଏ ମନ ତଳେ
ଚାପି ହୋଇ ରହିଥାଏ
କେତେ ଯେ ଅକୁହା କଥା
ମୁହଁ ଖୋଲି ପ୍ରକାଶ କରିବାର
ସୁଯୋଗ ନ ଥାଏ..
ଯେମିତି ଆସେ ପୁଣି
ସେମିତି ଅନ୍ତର୍ଦ୍ଧାନ ହୁଏ
ଆଖି ଦର୍ପଣରେ ଯାହା
ଚକ୍ ଚକ୍ ହୋଇ କିଛି
ସମୟ ଭାସି ଉଠେ
ଚଳଚ୍ଚିତ୍ରଟିଏ ପରି।
ବେଳ ଅବେଳ ନଥାଏ ତାର
ଧୂସର ଖରାବେଳ ହେଉ
ଅବା ରାତିର ଘନ ଅନ୍ଧାର
ଦିଅଁ ପୂଜା କିମ୍ବା
ଭାତ ରାନ୍ଧିବା ବେଳ
କାହାଣୀ ଗୁଡା ଯେବେ
କାୟା ବିସ୍ତାର କରନ୍ତି
ଉଡି ବୁଲନ୍ତି ପ୍ରଜାପତି ପରି
ଡେଣା ମେଲି ଏପାଖ ସେପାଖ..
ବ୍ୟଥିତ ହୁଅଇ ମନ
ପୁଣି ପୁଲକିତ ହୁଏ ଆତ୍ମା...।
ସଜ ଫୁଟା ଗୋଲାପଟେ ପରି
ଯେବେ ବୋଉର ନିରୀହ ଉଜ୍ଜ୍ୱଳ
କଥା କୁହା ଛଳ ଛଳ ମୁହଁ
ଛିଡ଼ା ହୁଏ ଖୋଲା ଅଗଣା ରେ
ତା ପଣତର ମହ ମହ ବାସ୍ନା
ଚଉଦିଗେ ଭରିଦିଏ
ଅଗରୁ ଚନ୍ଦନ ମହକ
ସୃଷ୍ଟି ହୁଏ ଶରୀରରେ
ହାଲକା ରୋମନ୍ଥନ ।
ଆଃ ! ମୋ ବୋଉର ପଣତ
ସେ ତ ବଡଦେଉଳର ନେତ
ଯାହା ତଳେ ଲେଖା
ମୋ ପୂଣ୍ୟ ଜୀବନର
ଗୀତା ଭାଗବତ ।
ବୋଉ ପଣତରୁ ଝରି
ମମତାର ମନ୍ଦାକିନୀ
ତନୁ ମନ ସ୍ନେହାସିକ୍ତ କରେ
ଭସାଇ ନିଏ ବିନା ଦ୍ୱିଧାରେ
ଦୁଃଖ ଯେତେ ମୋର ।
ଅବୁଝା ପିଲାଦିନର
ଅଙ୍ଗେନିଭା ଇତିହାସ
ଆପେ ଆପେ ପୃଷ୍ଠା
ଓଲଟେଇ ଚାଲନ୍ତି....
ବୋଉ ତାର ପଣତରେ
ଦିନେ ଝାଡି ଦେଉଥିଲା
ଅଳି କରି ଭୂମି ପରେ
ଲୋଟୁଥିବା ମୋ ଦେହର ଧୂଳିକୁ ।
ହାରି ଯିବାର ବ୍ୟର୍ଥତାରେ
ସଙ୍କୁଚିତ ହୋଇ ଝରି ପଡୁଥିବା
ଅମାନିଆ ଆଖିର ଦି ଟୋପା ଲୁହକୁ
ପୋଛି ଦେଉ ଦେଉ ପଣତରେ
ଭରି ଦେଉଥିଲା ମନରେ ପ୍ରତ୍ୟୟ
ହାଲ୍କା ଏକ ଆଶ୍ୱାସନା
ଶିଖେଇ ଦେଉଥିଲା ଚୁମ୍ବକରେ
ଜୀବନ ଗଣିତର ସୂତ୍ର..
ହାରିବା ମାନେ ନୁହେଁ
କେବଳ ପରାଜୟ
ବେଳେ ବେଳେ ହାରିବା
ଜିତିବା ପାଇଁ ଆଣେ
ଏକ ସୁବର୍ଣ୍ଣ ସୁଯୋଗ
ସମୟ ଧାରାରେ ଦିନେ
ଅସମ୍ଭବକୁ ସମ୍ଭବ କରେ
ଅପେକ୍ଷା ,ଧୈର୍ଯ୍ୟ ,ବିଶ୍ୱାସ
ଓ ଦୃଢ଼ ମନୋବଳ ।
ଘରର ଅଗଣାରୁ ଯେବେ
ସୁଖର ସଂସାରଟେ ପାଇଁ
ଆଉ ଜଣ ଙ୍କ ହାତରେ
ହାତ ଛନ୍ଦି ଦେଇ ବିଦା କଲା
ଆଖି ଲୁହ ସବୁ ପଣତରେ ପୋଛି
କାନରେ ଭରିଦେଲା
ସମର୍ପଣ, ତ୍ୟାଗ ଓ ତପସ୍ୟାର ମନ୍ତ୍ର ।
ଶିଖେଇ ଦେଲା ଦୁହିତାର ଅର୍ଥ
ଅତି ସୂକ୍ଷ୍ମରେ ସୂକ୍ଷ୍ମରେ
ଦୁହିତା ଦୁଇ ପରିବାରର
ସମ୍ପର୍କ ସେତୁଟିଏ
ଅବଳା ଦୁର୍ବଳନୁହେଁ
ସହନଶୀଳତାର ମୂର୍ତ୍ତି ।
ଝିଅ ଅଟେ ପୂର୍ଣ୍ଣ ଗର୍ଭା
ନିଜ ହାତେ ନିଜେ ଗଢି
ସୁନାର ସଂସାର ,
ସୁଖ ସମୃଦ୍ଧି ଓ
ପୂର୍ଣ୍ଣତାରେ ଭରିଦିଏ ।
ଝୁଣ୍ଟି ପଡି ବାଟ ଚାଲୁଥିଲେ
ପରକୁ ଆପଣା କରି
ଦୁଃଖ ପିଇ ଯନ୍ତ୍ରଣା ସହି
ସ୍ନେହ ମମତା ଭଲ ପାଇବା
ବାଣ୍ଟି ଚାଲିଲେ ସଂସାର ହସିବ....।
ବୋଉର ସେଇ
କେଇପଦ କଥା,କଥା ନୁହେଁ ତ
ସଫଳ ଜୀବନର ମନ୍ତ୍ର..
ସେ ମନ୍ତ୍ରକୁ ପାଥେୟ କରି
ବ୍ୟଥା ଓ ବେଦନାକୁ
ଅଣଦେଖା କରି..
ବଦଳରେ ଅମୃତ ଝରାଏ..।
ସଭିଙ୍କୁ ଆପଣାର ଭାବି
ବାଣ୍ଟି ଚାଲେ ଟିକେ ହସ
ଆଉ ଟିକେ ଖୁସି
ଏବଂ ମିଠା କିଛି ଭଲ ପାଇବା
ଯାହାକୁ ଦେଖି ମୋ ବୋଉ
ହୁଏତ ହସୁଥିବ ...
ଖୁସି ହେଉଥିବ...
ଆକାଶ ଅଗଣାରେ
ଟିକି ଟିକି ସେଇ
ତାରାଙ୍କ ଗହଣ ରେ।