ମାଆ ଆସୁଛନ୍ତି
ମାଆ ଆସୁଛନ୍ତି
ଶରତ ଆକାଶେ ମେଘଖଣ୍ଡ ଭାସେ
ପବନ ରେ ଝୁଲି କାଶତଣ୍ଡି ହସେ।
ଜଗତଜନନୀ ଆରାଧନା ପାଇଁ
ହସି ଉଠେ ଦେଖ ଏ ମରତ ଭୂଇଁ।
ଦୁର୍ଗତି ନାଶିନୀ ବିଜୟ କରିବେ
ପାପ ତାପ ଦୁଃଖ ଦୈନ୍ୟକୁ ହରିବେ।
ଆସ ଅବତରି ମା ସିଂହ ବାହିନୀ
ଦୁର୍ଗା ଜଗଦମ୍ବା ମହିଷା ମର୍ଦ୍ଦିନୀ ।
ଶକ୍ତି ସ୍ୱରୂପିଣୀ ଅଭୟ ଦାୟିନୀ
ସ୍କନ୍ଧମାତା ଆଦିଶକ୍ତି କାତ୍ୟାୟନୀ।
ବିଘ୍ନ ବିନାଶିନୀ ଦେବୀ ଶୈଳସୂତା
ଅଷ୍ଟଭୁଜା ମହାମାୟା ଜଗନ୍ମାତା ।
ଜୟ ମହାକାଳୀ ଅମ୍ବିକା ଭବାନୀ
ବିମଳା ମଙ୍ଗଳା ଗୌରୀ ନାରାୟଣୀ ।
ଶତ୍ରୁ ସଂହାରିଣୀ ଦେବୀ ଦଶଭୁଜା
ଭକ୍ତି ପ୍ରଦାୟିନୀ ମାଆ ଗୋ ବିରଜା ।
ଆସ ଅବତରି ଏ ଶୁଭ ଲଗନେ
ସୁଖ ଶାନ୍ତି ଭରି ଯାଉ ପ୍ରାଣେ ପ୍ରାଣେ।
ତୁମ ଆଗମନେ ହସିଉଠୁ ଧରା
ଦୁସ୍ଥ ଅକିଞ୍ଚନେ ହୁଅ ମା ସାହାରା ।