STORYMIRROR

Sanuja Meghamala

Others

4  

Sanuja Meghamala

Others

ମୋ ଗାଆଁ ସ୍ମୃତି

ମୋ ଗାଆଁ ସ୍ମୃତି

1 min
300


ଗାଆଁଟି ମୋର  କେଡେ ସୁନ୍ଦର

ଭାବୁଛି ମନେ ବସି

ମୋ ପିଲାଦିନ  ଅଭୁଲା କଥା

 ଆଖିରେ ଯାଏ ଭାସି।( ୧)

ପୂର୍ବ ଆକାଶେ  ନାଲି ସୂରୁଜ

  ଯେବେ ଆସଇ ଉଇଁ

ଚଳଚଞ୍ଚଳ    ସାରା ଗାଆଁ ଟା

  ଆପଣା ଭାବ ନେଇ ।(୨)

ମନ୍ଦିର ଘଣ୍ଟ   ଶବ୍ଦ ଯେବେ

   କମ୍ପଇ ଚଉଦିଗେ

ପୂଜା ଆଳତି ମଙ୍ଗଳ ମନ୍ତ୍ରେ

   ଚଳଚଞ୍ଚଳ ସର୍ବେ।(୩)

ସବୁଜ ବିଲେ  ଲହରୀ ଭାଙ୍ଗେ

    ସୁନା ଫସଲ କେତେ

ମନ ହରଷେ    ଚାଷୀ ଭାଇର

    ସଞ୍ଜ ସକାଳ ବିତେ ।(୪)

ପାଚିଲା ଧାନ   ବିଲକୁ ଥରେ

 ଯେବେ ଦେଖଇ ଚାଷୀ

ପରିଶ୍ରମ ତା'    ସାର୍ଥକ ହେଲା

   ଆନନ୍ଦେ ଦିଏ ହସି ।(୫)

ବାଡି ବଗିଚା   ତୋଟା ବଣରେ

   ଭଳି କି ଭଳି ଫଳ

କଇଁ -ପଦ୍ମରେ  ଭରି ଉଠଇ

   ନଈ ଗାଡିଆ ଜଳ।(୬)

କିଆ, କେତକୀ ବଉଳ ଫୁଲେ

  ମୋ ଗାଆଁଟି ହସେ

ବନ୍ଦ ଆଖିରେ ସେ ସବୁ ସ୍ମୃତି

  ଚିତ୍ରଟେ ପରି ଦିଶେ।(୭)

ସଞ୍ଜ ନଇଁଲେ  କଳା ଅନ୍ଧାର

ଗାଆଁକୁ ଛୁଇଁ ଯାଏ

ଗ୍ରାମବଧୂଟି  ଚଉରା ମୂଳେ

ଦୀପଟେ ଜାଳି ଦିଏ ।(୮)

ଠାକୁର ଘରେ   ନିତି ଭଜନ

   ପୁରାଣ ପାଠ ହୁଏ

ହରି ଶବଦ    ମନ ଭିତରେ

   ପ୍ରଶାନ୍ତି ଭରି ଦିଏ ।(୯)

ମୋ ଗ୍ରାମବାସୀ  ଭାରି ତ ଭଲ

    କେ ହେବ ତାଙ୍କ ସରି

ସ୍ନେହ ସରାଗେ   ବାନ୍ଧି ରଖନ୍ତି

     ପରକୁ ନିଜ ପରି ।(୧୦)

ଗାଆଁର ସ୍ମୃତି ମଧୁର ଅତି

ପାରେନି ତାକୁ ଭୁଲି

ରହିଲେ ଯେତେ ତା ଠାରୁ ଦୂରେ

ପାଖ ସେ ଲାଗେ ଅତି।(୧୧)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍