ମୁଁ ଗଛ କହୁଛି
ମୁଁ ଗଛ କହୁଛି


ଗଣ୍ଡିରୁ ଅଲଗା କଲାବେଳେ
ଥରେ ବି ତ ଭାବିଲନି
ମୁଁ ବି କେତେ ଭଲପାଏ ଜୀବନକୁ !!
ମୋର ଡେଣା ସବୁକୁ ନିର୍ମମ ଭାବେ
କାଟି ପକାଇଲାବେଳେ
ଥରେ ବି ତ ଅନୁଭତ କଲନି
ଯନ୍ତ୍ରଣା ଜର୍ଜରୀତ
ମୋର କ୍ଷତ ବିକ୍ଷତ ଶରିରର ପୀଡ଼ାକୁ !!
ତୁମେ ନିର୍ଦୟ
ଟିକେ ବି ହୃଦୟଙ୍ଗମ ହେଲାନି !!
ମୋ ଡାଳରେ ବସାବାନ୍ଧି ରହିଥିବା
କେତେ ପକ୍ଷୀ ଆଉ ତାର କୋମଳ ଶିଶୁର
ବେଘର ହେଇଯିବାର ବେଦନା !!
ଚୁଁ ଚୁଁ କାକଳୀ ଶବ୍ଦରେ ନିରୀହ କ୍ରନ୍ଦନ
ଶୁଭିଲାନି ତୁମ କର୍ଣ୍ଣକୁ !!
ଟେକା ପଥର ମାରି ମୋ ଦେହରୁ ଗୁଞ୍ଜୁରୀ ଥିବା
କଷି କଢ଼ିକୁ ତୋଳି ନେଲାବେଳେ
ଥରେ ବି ତୁମ ନୟନକୁ ଦୃଶ୍ୟମାନ ହେଲାନି
ମୋ ଆଖିରୁ ଝରିବା ଯାଉଥିବା ବୁନ୍ଦା ବୁନ୍ଦା ଲୋତକ !!
ଏ ଅଲୋଡ଼ା ଜୀବନରେ ମୁଁ ତୁମକୁ
କଣ ବା ମାଗିଥିଲି
ମୋର ସୁରକ୍ଷା ଛାଡ଼
ଟୋପେ ପାଣି ବି ମାଗିନି !!
ଶୈଶବ ଠୁଁ କୈଶୋର
ଯୁବା ଠୁଁ ବୃଦ୍ଧା ହେବା ଯାଏଁ
ସବୁ ପ୍ରାଣୀଙ୍କ ତାଡ଼ନା ସହିଛି
ପିଲାଙ୍କ ଖେଳ କୁଦର ସାଥୀ ହେଇଛି
ତାଙ୍କ ଭୋକ ମେଣ୍ଟାଇଛି
ସେଇ ପିଲା ବଡ଼ ହେଲା ପରେ
ତାଙ୍କର ସବୁ ତାଡ଼ନାର ଶିକାର ହେଇଛି
ହେଲେ ତାଙ୍କରି
ପିତାମାତା ହିସାବରେ
ତୁମ ହୃଦୟରେ ଟିକେ ବି ଦୁଃଖ ନଥିଲା
ମୋତେ ଖିନ ଭିନ କରି ମାରିବାକୁ !!
ବର୍ଷା ଖରା ଶୀତ ଝଡ଼ ଝଞ୍ଜା ସବୁ ସହିଛି
ଛାତିକୁ ପଥର କରି
କେବେ ବି କେହି ସମ୍ବେଦନଶୀଳ ଚକ୍ଷୁରେ ଦେଖିନି
ମୁଁ ବି କାହାରି ସାହାଯ୍ୟ ଲୋଡ଼ିନି
ବରଂ ତୁମ କଳ କାରଖାନା, ଯନ୍ତ୍ର ଚାଳିତ ଯାନରୁ
ନିସ୍କୃତ ଅଙ୍ଗାରକାମ୍ଳକୁ ଖୁସି ଖୁସିରେ ପିଇଯାଇଛି ମୁଁ
ସମୁଦ୍ର ମନ୍ଥନରୁ ନୀଳକଣ୍ଠ ମହାଦେବ ବିଷ ପିଇଗଲା ପରି
ଆଉ ବଦଳରେ ଦେଇଛି
ଅଗଣିତ ଜନମାନସ ପାଇଁ ଶ୍ୱାସ ପ୍ରଶ୍ୱାସର ପ୍ରବାହ
ପ୍ରକୃତି ର ଭାରସାମ୍ୟ ରକ୍ଷା କରିବାକୁ
କେତେ ବରଷା ବିନ୍ଦୁ ବରଷେଇଛି ।
ମୋର ବକ୍ଷଚିରି ସାରା ଜଗତକୁ
ଫୁଲ ଫଳ ଭେଟି ଦେଇଛି ବର୍ଷକ ବାରମାସ
ନିଦାଘ ତାତିରେ ଛଟପଟ ବାଟୋଇକୁ ଆଶ୍ରୟ ଦେଇଛି ।
ହେ ମାନବ,
ତୁମେ ମୋର ମୂଳ ଉତ୍ପାଡ଼ନ କରି ଖୁସି ହୁଅନା
ବରଂ ନିଜ ହାତେ ସୃଷ୍ଟିକୁ ସଂହାର କରୁଛ
ନିଃଜ ଭବିଷ୍ୟତକୁ ଅନ୍ଧାର କରିଚାଲିଛ
ଏବେବି ସମୟ ଅଛି,
ବେଳ ଥାଉ ଥାଉ ବଦଳି ଯାଅ ..
ଏ ସୃଷ୍ଟିକୁ ସବୁଜ ସୁନ୍ଦର ରଖିବାକୁ
ତୁମ ଆଗାମୀ ପିଢ଼ିଙ୍କୁ ଶ୍ୱାସ ପ୍ରଶ୍ୱାସ ନେବାକୁ
ରୋପଣ କର ବୃକ୍ଷ ଟିଏ
ତୁମ ଘର ଅଗଣାରେ।