ଆକାଶ ଓ ପୃଥିବୀ
ଆକାଶ ଓ ପୃଥିବୀ
ବିଂଶ ଶତାବ୍ଦୀରେ ଅବତୀର୍ଣ୍ଣ
ନିସ୍ତେଜ ଧରା
ନୀଳ ଆକାଶର ଛାତ ତଳେ
କ୍ଷଣେ ବିଶ୍ରାମ ନେଉଛି
ସ୍ମିତ ହାସ୍ୟରେ
ପ୍ରଶ୍ନଟିଏ ରଖେ ଆକାଶ
ରତ୍ନଗର୍ଭା ତୋର ଉଦର
ଶୂନ୍ୟତରେ ଭରା !!
ବୃକ୍ଷରାଜି ଆଧୁନିକତାର ଶିକାର
ଛମ ଛମ ପାଉଞ୍ଜି ଶବ୍ଦ ସବୁ ବନ୍ଦୀ
ପିପାଶୁଙ୍କ ବନ୍ଦ କୋଠରୀରେ
ଜୀବନ ଭୁଲି ଯାଇଛି ଠିକଣା
କାହିଁକି ତୁ ନୀରବଦ୍ରଷ୍ଟା !
ତୋ ଗର୍ଭରେ ଲୀନ କରିଦେ
ମୁରୁକି ହସି ଉତ୍ତର ଦେଲା ଧରଣୀ
ତୋ ବକ୍ଷ ଚିରି
ତୁ ବି ଅଜାଡ଼ି ଦେଇଥିଲୁ ପ୍ରେମର ବର୍ଷା
ତୋର ବିସ୍ତାରିତ ହୃଦୟର ଉହାଡ଼େ
ଲୁଚି ଲୁଚି ଦେଖିଥିଲୁ ସବୁ ପାପ
ପାପର ଭାର ଦେଖି ନା ଖସି ପଡ଼ିଲୁ
ନା ଗର୍ଜନ କରି ସୁରକ୍ଷା ଦେଲୁ !
ହେଲେ ବି ତୁ ଚିର ପ୍ରଶସ୍ତ ଆଉ ଅବ୍ୟାପ୍ତ
ନିର୍ମଳ ଭାବମୂର୍ତ୍ତି
କେମିତି !
କାହିଁକି !
ଥମି ଯାଇଛି ବିଜୁଳି
ଭାସି ଯାଇଛି ବାଦଲ
ଗୁମ ସୁମ ଆକାଶ ଉତ୍ତର ଖୋଜୁଛି !!