STORYMIRROR

Debadatta Jena

Tragedy Inspirational

4  

Debadatta Jena

Tragedy Inspirational

ପ୍ରାୟଶ୍ଚିତ...

ପ୍ରାୟଶ୍ଚିତ...

2 mins
453


ଦୁଃଖ, 

ଦୁଃଖର କାରଣ, 

କାମନା, 

କାମନାର ବିନାଶରେ 

ଦୁଃଖର ବିନାଶ, 

ଚତୁଃର୍ମାର୍ଗ..!


ତ୍ରିରତ୍ନ

ଦିବ୍ୟ ଚକ୍ଷୁ, କର୍ମ, ଅଭିକ୍ଷ୍ୟ 

ମୋକ୍ଷ, ପ୍ରତି ମୋକ୍ଷ, ନିର୍ବାଣ, 

ଅଷ୍ଟାଙ୍ଗ ମାର୍ଗ, 

ସତ କର୍ମ, ସତ ବଚନ, 

ସତ ଚିନ୍ତା, ସତ ଜ୍ଞାନ, 

ସତ ମାର୍ଗ, ସତ ଯୋଗ, 

ସତ ପଥ, ସତ ସଂସର୍ଗ, 

ଅରହତ..!


ତଥାପି ତଥାଗତ, 

ଏବେ ବି ମାଗେ ମୋକ୍ଷ, 

ସାରନାଥର ସେ ନିରଞ୍ଜନା ତଟେ, 

ପାଟଳୀପୁତ୍ରର ସେ ନଗ୍ର ଉପାନ୍ତରେ

ଲଭିବାକୁ ବୋଧିସତ୍ତ୍ୱ, 

ମହାପରିନିର୍ବାଣ..!


ମୁଁ ଦେବଦତ୍ତ, 

କପିଳବାସ୍ତୁର ନଗ୍ର ଜନ, 

ହୋଇପାରେ, 

ଭ୍ରାତୃ ପ୍ରାଣ, ପ୍ରିୟ ସିଦ୍ଧାର୍ଥଙ୍କର, 

ତଥାପି ମୁଁ କାକୁସ୍ଥ, 


ଅଲଂଘ୍ୟକୁ ଲଙ୍ଘିବା 

ନିଶା ମୋର,ସକାମ,ତୃଷ୍ଣା, ରତି, ରାଗ, 

ମୋହ, ପ୍ରତି ମୋକ୍ଷ, ମଦ, ଆଶ୍ଚର୍ଯ୍ୟ, 

ଆତ୍ମ ଉପଲବ୍ଧି ଶ୍ରେୟ, 

ହୀନଯାନ, ହୀନମନ୍ୟ 

ଆତ୍ମଘୋଷିତ ମହାଅଧିରାଜ, 

ମାଗେ ମୋକ୍ଷ ପରିଚ୍ଛଦ ରୂପ, 

ପିପାସା, ପ୍ରାଯଶ୍ଚିତ..!


ମନେ ପଡେ ଚାପଲ୍ୟର ସେ 

ଉତ୍ତୁଙ୍ଗ ହିଂସ୍ରତାର କଥା, 

ବିନ୍ଧି ଥିଲି ଶରାଘାତେ 

ନିରୀହ ହଂସର ଶରୀର, 

ସାବ୍ୟସ୍ତ କରିବାକୁ,ଲକ୍ଷ୍ୟ ଭେଦ 

ଇଚ୍ଛି ଥିଲି ଆଧିପତ୍ୟ,ପାଇବାକୁ 

ହଂସଟି ମୋହର..!


ସାକ୍ଷୀ ସେଇ ରାଜ ପୁରୋହିତ, 

ଯଥା ମାନ୍ୟ କରିଲେ ସାବ୍ୟସ୍ତ, 

ଯେ ହଂସଟି କାହାର..? 

ହତ୍ୟା ନୁହେଁ, ଜୀବେ ଦୟା, 

ଯିଏ ଦେଇ ପାରେ ପ୍ରାଣ, 

ହଂସ ଯେ ତାହାର, ଅବଧାରିତ ସତ୍ୟ, 

ସଂଚରିତେ ଜର୍ଜରିତ କ୍ରୋଧ, 

ପ୍ରଜ୍ଜଳିତ ପ୍ରତିଶୋଧ,ଅବଶ୍ୟ, ନିଶ୍ଚୟ..!


ତୁମ୍ଭେ ଶାକ୍ୟମୁନି, 

ସିଦ୍ଧାର୍ଥ ଗୌତମ, 

ତୁମ୍ଭେ ପରମ କାରୁଣିକ, 

ଇଚ୍ଛୁ ଥିଲ ସ୍ଵୟଂଭୂ, ସଂସ୍କାର,କରିବାକୁ 


ଶିକ୍ଷା ଦାନ ଯେବେ ଆଜୀବକ ଉପକ, 

ଆଦି ଯେତେ ଭିକ୍ଷୁକ,ଶ୍ରମଣ,ଆରଣ୍ୟକ 

ସେ କିନ୍ତୁ ହୋଇଥିଲେ ଜରାଗ୍ରସ୍ତ, 

ଭିନ୍ନ ମତ,ନରାଧମେ ଚକ୍ରବ୍ୟୂହେ, 

ତୁମ୍ଭ ଜ୍ଞାନେ ମୋହିତ ଅତୀନ୍ଦ୍ରିୟ 

ସାରିପୁତ୍ତ,ମହା ମୋଗଲାୟନ, 

ପ୍ରେରିତ,ପ୍ରେଷିତ ମମ ସାନ୍ନିଧ୍ୟରେ, 

ହେଲେ, ସେ ନିରୋଧ ସମ୍ପତ୍ତିରେ 

ନ ଥିଲା ବିଶ୍ୱାସ, ଥିଲି ମୁଁ ବଶ 

କସପା, ଅଙ୍ଗୁଳିମାଳ, ହୀନ ଅଜବକ, 

କାୟ ମନୋବାକ୍ୟ, ଅବୋଧ..!


କରିବାକୁ ହତ,ପାଞ୍ଚିଥିଲି ବ୍ୟୁହ, 

ଉନ୍ମତ୍ତ ହସ୍ତୀ ପାଦେ ଦଳନ ତୁମ୍ଭର, 

ରଚିଥିଲି ଭିନ୍ନ ଏକ ପଥ ଅନ୍ୟ, 

ସ୍ଖଳିତ ପ୍ରସ୍ତର ଖଣ୍ଡରେ କରିବି ବିଭକ୍ତ, 

ପାଶବିକ ଶରୀର ତୁମ୍ଭର, ସଂହାର.., 

ତୁମ୍ଭେ ଅରହତ, ସ୍ଥିର ଚିତ୍ତ, 

ଶେଷ ଆଶା ପରାହତ,ଜାଣି ମଧ୍ୟ 

ମୋତେ କରିନ ଲାଂଛିତ,ବାଂଛିତ.., 

ଏବେ ନତ ମସ୍ତକ, ପରିଣାମେ ମୋର 

ଚରଣାରବିନ୍ଦେ ଆଶ୍ରିତ ତଵ

ମାଗେ କୁଣ୍ଠିତ ପ୍ରାୟଶ୍ଚିତ..!


ତଥାପି ତୁମେ ନ ହୋଇ ବଚସ୍କର, 

ଅନାୟାସେ ଯାଚିଥିଲ କ୍ଷମା, 

ତୁମର ସେ ଉଦାର ହୃଦୟେ, 

ରାହୁଳ, ଆନନ୍ଦ, ଅନିରୁଦ୍ଧ, ନନ୍ଦ ସମ, 

କିଂତୁ ମୁଁ.., ଜାତ ଅର୍ଥେ ଶତ୍ରୁ

ଅଜାତ ଶତ୍ରୁ ମାୟାରେ ବିମୋହିତ, 


ସୃଜି ଭିନ୍ନ ଏକ ସଙ୍ଘ,ଲଭିଲି ଶ୍ରମଣ 

ଆସୁରିକ,ଅସମ୍ଭବ ଅନାହତ..!


ଆଜି ମୁଁ ପରାଙମୁଖ,ସ୍ଖଳିତ, ନିଷ୍ପେସିତ, 

ମାଗେ ମୋକ୍ଷ, ସର୍ବ ମୋକ୍ଷ, 

ଜ୍ଞାନ ପ୍ରାପ୍ତିର ଦୁର୍ଲଭ୍ୟ ମାର୍ଗ, 

ହେ ପ୍ରିୟ ବୋଧିସତ୍ତ୍ୱ,

ମୁକ୍ତକାମ, ଅନାତ୍ମନ..!


ମହାପରି ନିର୍ବାଣର ତ୍ରାଣକର୍ତ୍ତା, 

ଶାକ୍ୟମୁନି, ବୋଧି ଶ୍ରେଷ୍ଠ, 

ଜ୍ଞାନ ଗଂଗା, ଚିର ଆଶ୍ରିତ ତଵ.., 

ଫେଡ଼ କ୍ଳେଶ,ସଦା ଆକାଂକ୍ଷିତ 

ବାସନା ମୋର, ଆହତ ଶୃଙ୍ଖଳ 

ଜର୍ଜରିତ ବାଞ୍ଛା, ମାଗେ ଅନାସକ୍ତ 

ବିରତି, ନିବୃତ୍ତିର ଉପଲବ୍ଧି, 

ଚିର ଇପ୍ସିତ ଜିତବନ,ବାଞ୍ଛାକଳ୍ପ, 

ମୋକ୍ଷ, ପ୍ରାୟଶ୍ଚିତ..!




Rate this content
Log in

Similar oriya poem from Tragedy