ଫଗୁଣ ଚିଠି
ଫଗୁଣ ଚିଠି
ପ୍ରେୟସୀ,
ପ୍ରିୟତମା..
ଏ ଅନ୍ତରର ନିଭୃତ ପ୍ରଦେଶରୁ
ସଂଚିତ ଗଭୀର ଆନ୍ତରିକ ଶୁଭେଚ୍ଛା
ବୀତସ୍ପୃହ ତ ତୁମେ,
ତୁମକୁ କଣ କହି ତମ ମାନ ଭଂଜନ
କରି ପାରିବି
ସେଇ କଥା ହିଁ ଖାଲି ଭାବୁଚି,
କେବେ ନିଭୃତରେ ତ କେବେ
ବ୍ୟସ୍ତ ଓ ବିବ୍ରତରେ,
କିଛି କହି ଦେଲେ ଯେ କଥା ସରେ..
ସେଥିପାଇଁ ବୋଧେ ନ କହି ନ କହି
ନୀରବତା ହିଁ ସ୍ୱୀକାର କରିଛି,
ପୁଣି ଭଙ୍ଗା ମନକୁ ଯୋଡିଯାଡ଼ି,
ଅନେକ କଥା କହିବାର ଅଭିପ୍ରାୟ ହିଁ
କରିଛି,ଆଉ ଅନୁରୋଧ କରୁଚି,
କିଛି କହିବାକୁ ଅନୁମତି ମିଳୁବୋଲି
ଅନୁସନ୍ଧିତ୍ସା ହିଁ କରୁଛି,
ଆଉ ମନରେ ବିଶ୍ୱାସ
ତୁମେ ଏ କଥାକୁ ହୁଏତ ଅସହଜେ,
ଅନୁଗ୍ରହ ପୂର୍ବକ ଗ୍ରହଣ କରିନେବ
ଏଇ ଅନୁନୟ ମାତ୍ର କରୁଛି ।
ଏବେ ନିଷ୍ପତ୍ତି ତୁମର
ରଖ ଅବା ନ ରଖ
ବିଚାର ତୁମର ଆଗ୍ରହ ଵି ମୋର !
କଣ ଆଉ କହିବି
କ'ଣ ମନର ମାନସୀ ମନୋରମା,
ନାଁ, ରୂପ ରାଇଜର ରାଜଜେମା
ତୁମେ ରୁପସୀ ଅନୁପମା ବୋଲି,
ନାଁ ମୋ ଅଳସ ହୃଦୟର
କେଉଁ ଅନୁ ନାୟିକା ବୋଲି,
ତୁମେ ମୋ ପ୍ରେମ ପ୍ଲାବନର ବନ୍ୟା,
କି ପ୍ରୀତି ପାର୍ବଣର ପ୍ରୀତିପର୍ଣ୍ଣା,
ଯାହା ଅବର୍ଣ୍ଣନୀୟ !
ପୁଣି
ମେଘ ଶ୍ରାବଣର ରାଜ ନନ୍ଦିନୀ ତୁମେ,
ପ୍ରେମ ମୟୀ ରାଜ କନ୍ୟା,
କହିବା ଅତିରଂଜିତ
ହଁ,କହିବି ତ
ତୁମେ ମୋ ବ୍ୟଥିତ ହୃଦୟର ବିରଞ୍ଚିତ,
ବିଡ଼ମ୍ବିତ ତୃଷ୍ଣା,
ମୋ ମନ ମାନସୀ, ଋତୁପର୍ଣ୍ଣା,
ଅସରନ୍ତି ପୃଷ୍ଠା,ମାଳବିକା ପୁଣି
ମୋ କବିତାର କାବ୍ୟମୟୀ
ଲାସ୍ୟମୟୀ,ପ୍ରେମମୟୀ କାଦମ୍ବିନୀ,
ତୁମେ ମୋ କୁଣ୍ଠିତ ଆବେଗର ବିତର୍କିତ
କେଉଁ ଅପରାହ୍ନ ଜ୍ୟୋତିକାନ୍ତି,
ବିରହିତ ଜ୍ୟୋତିର୍ମୟ ଜ୍ୟୋସ୍ନା,
କେଉଁ ମୂର୍ତ୍ତିମୟୀ,ଦୀପ୍ତିମୟୀ,
ଅସ୍ତରାଗ,ପ୍ରୀତି ଲଗ୍ନା,
କ୍ରୋଞ୍ଚ ପ୍ରଦେଶ ମିଥୁନ ସଦୃଶ
ବିରହୀଣୀ ପ୍ରେମ ତପସ୍ୟା !
ହଁ, ଏତିକି କହିବାକୁ ତ ମତେ
ଅନୁମତି ଦିଅ ମୋ ମନ ଭିତରେ
ଥିବା ଅନେକ ଦିନର କୁଣ୍ଠିତ ଆକାଂକ୍ଷା
ଆବେଗ ମାନଙ୍କୁ ପ୍ରଶମିତ କରିବାର
ଅଭିପ୍ରାୟ ମୁଁ ଯାହା କରିଛି
ଏ ଶୋଣିତ ଲିପିରେ ବିସ୍ତୃତ ଭାବରେ
ଉପସ୍ଥାପିତ କରି ପାରିବି,
ଯଦିବା କିଛି, ଅଦମ୍ୟ ପ୍ରୟାସର
ପ୍ରଚେଷ୍ଟା, ଅପଚେଷ୍ଟାର ଅନୁକ୍ରମ
କରି ତୁମ ମନରେ ଆଘାତ କରିଛି,
ତୁମର ସେ ବିଶାଳ ହୃଦୟରେ
ତୁମେ ନିଶ୍ଚୟ କ୍ଷମା କରି ଦେବାର
ଦୁର୍ବାର ଅଭିପ୍ରେତ ମୁଁ ରଖିଛି !
ଏମିତି କିଛି ମାଗି ଦେବି ବୋଲି ଭାବି
ନିଜକୁ ଦୂରେଇ ନେବାକୁ ପ୍ରୟାସ
କରୁଛ ଯଦି,ତେବେ ତ ମୋର
କିଛି ଭାବିବାର ହିଁ ନାହିଁ, କିନ୍ତୁ
ଏତିକି ତ କହିବି
ମୋ ଭାବନାର ଏଇ କୁଣ୍ଠିତ
କାଂକ୍ଷାକୁ ପ୍ରଖ୍ୟାପନ କରିବାରେ
କାହିଁକି ଅବା ମୁଁ ଅବମାନନା କରିବି,
କହିବାକୁ ବିଲକୁଲ ଵି କୁଣ୍ଠା କରିବିନି,
ତୁମେ ମୋ ଶେଷ ଶ୍ରାବଣ !
ତୁମେ ହିଁ ତ
ଝର ଝର ଝରୁ ଥିବା ଅତୀନ୍ଦ୍ରିୟ ବର୍ଷା,
ତୁମେ ମୋ ନିସ୍ତବ୍ଦ ଆକାଶର
ଶରତର ଜହ୍ନ,ଅଶିଣର ଶିଶିର ବିନ୍ଦୁ,
ମୋ ପ୍ରାଂଶୁଳ ଗ୍ରୀଷ୍ମ ପ୍ରଶ୍ୱାସର
ସମ୍ପୂର୍ଣ୍ଣ ବିଶ୍ୱାସ,ସୁଶୋଭିତ ଇନ୍ଦୁ,
ମୋ ଜୀବନ ଆସ୍ଥା
ତୁମେ ମୋ ଏ ସ୍ତବ୍ଧ ବସନ୍ତର
ବିସ୍ମୃତ ବିଧୌତ ଫାଲ୍ଗୁନ !
ସବୁ ଜାଣିଲା ପରେ ଵି,କେମିତି ମୁଁ ମୋ
ବିଦଗ୍ଧ ଆତ୍ମାକୁ ଜଳାଞ୍ଜଳି
ଦେଇ ପାରିଥାନ୍ତି,
ଆଉ କେମିତି ମୋ ହୈଂମନ୍ତ ନିଳୟର
ଅବଦମିତ ଆଶା ଓ ଆକାଂକ୍ଷାକୁ
ପ୍ରଶମିତ କରି ପାରିବି,
ଅନେକ ଭାବିଲା ପରେ ଶେଷରେ
ଏଇ ନିଷ୍ପତ୍ତି ହିଁ ନେଲି, ମୋ ଶବ୍ଦିତ
ପୃଥିବୀର ଅସରସନ୍ତି ଉନ୍ମାଦନାକୁ
କୋମଳ କାକଳିରେ
ରୂପାନ୍ତରିତ କରିବାର ସଫଳ ପ୍ରୟାସ
କରିବାକୁ ମୁଁ
ଏ ସତ ସାହସ ହିଁ କରିଛି,
ବାସ, ଏବେ ଶୀତର ଅପେକ୍ଷା
ମୋ ଅବଶେଷ ବୈଶାଖର ଏ ଅସମ୍ଭବ
ଉତ୍ପ୍ରେକ୍ଷାକୁ କୁଠାରଘାତ
କରିବନି ବୋଲି ଭରସା ରହିଲା,
ଶୀତ ପରେ ତ ନିଶ୍ଚୟ ବସନ୍ତ
ସେଇ ବିମୁଗ୍ଧ ବସନ୍ତର
ବେସୁମାର ଅପେକ୍ଷା !
ଆଉ ଶେଷରେ ଶୁଣ
ବହୁତ କିଛି ଭାବିବାର ଅଭ୍ୟାସ ତ
ତୁମର ତଥାପି ଜାଣି ମଧ୍ୟ ଏହାକୁ
ମୋର ଶେଷ ଫଗୁଣର ଚିଠି
ମାନି, ତୁମେ ବିଶାଳ ହୃଦୟରେ ସ୍ତାନ
ଦେବ ବୋଲି ଅନୁରୋଧ କହୁ କହୁ
ଅନେକ ତ କହି ଦେଲିଣି,
ବାକି ସବୁ ଉତ୍ତର ତୁମର
ଏହା ସ୍ୱତଃସ୍ଫୁର୍ତ୍ତ,ମିଛ ବୋଲି
ବିଲକୁଲ ଵି ଭାବିବନି
ରହିଲି
(ଇତି)
ନିହାତି ନିଜର
ପାଗଳ ପ୍ରେମିକ !