ଶୀତ ପରି ତମେ
ଶୀତ ପରି ତମେ
ତମେ ତ ବଦଳି ଯାଇଛ .... !
ଆଗଭଳି ଆଉ ଦେଖିଲେ
ଉଲ୍ଲସିତ ହେଉନ
ଜାବୁଡ଼ି ଧରୁନ ମୋର ସମଗ୍ର ସତ୍ତାକୁ
ମୋ ଦେହ ମନରେ ସଞ୍ଚରିତ ହେଉନି
ସେ ପ୍ରୀତି ତୁମର ....
ଶୀତ ପରି ତମେ ବଦଳି ଯାଇଛ ...
ସତରେ
ସେଦିନ ଆଉ ଫେରିବନି !
କାର୍ତ୍ତିକ ସୋମବାରରେ
ପୋଖରୀରେ ସକାଳ ସ୍ନାନ ସାରି
ଗାଁ ମନ୍ଦିରରେ ତମେ ଦୀପ ଜାଳ
ମୋ ଶୁଭ ମନାସି ...
ନିତି ସେଇଠି ଦେଖା ହୁଏ ଆମର ...
ନିଃଶବ୍ଦରେ ଦୁଇ ଆଖିର ମିଳନରେ
ହୃଦୟ କଥା ହୃଦୟ ବୁଝିଯାଏ ।
ଠିକ୍ ଶୀତ ପରି ତମର ଏବେ
ଠିକଣା ନାହିଁ ...
ଲୁଚକାଳି ଖେଳୁଛ
ଅଦିନିଆ ବର୍ଷାରେ !
କିଏ କାହାକୁ ଭୁଲିଛି
ମନକୁ ପଚାରିଛି
ସଂପର୍କ କଣ ଋତୁ ପରି ବଦଳେ
ସିନ୍ଥିରେ ସିନ୍ଦୂର ନାଇବା ପରେ
ନିଜର ଜଣେ
ଏତେ ପର ହୋଇଯାଏ।