ଶ୍ରାବଣ ଆସିଲେ ତୁମେ ମନେ ପଡ଼
ଶ୍ରାବଣ ଆସିଲେ ତୁମେ ମନେ ପଡ଼
ସେଦିନ ବର୍ଷାରେ ତୁମରି ସାଥିରେ
ସେଇ ନିର୍ଜନ ରାସ୍ତାରେ
ତୁମ ଆଖି ସହ ଏ ଆଖି ମିଶାଇ
ଭିଜୁଥିଲି ମୁଁ ପ୍ରେମରେ ।
କେହି ବି କେଉଁଠି ନ ଥିଲେ ପାଖରେ
ତୁମେ ଥିଲ ମୁଁ ଥିଲି
ତୁମରି ଛୁଆଁରେ ସେ ମିଠା ନିଆଁରେ
ସତେ ଅବା ଜଳୁଥିଲି ।
ଓଠ ଥିଲା ଚୁପ ଆଖି ଇସାରାରେ
ହେଉଥିଲେ ଦୁହେଁ କଥା
ତୁମେ ବୁଝୁଥିଲ ମୋ ମନର କଥା
ଏଇ ହୃଦୟର ବ୍ୟଥା ।
ବର୍ଷା ଝରୁଥିଲା ଝର ଝର ହୋଇ
ଭିଜୁଥିଲା ତନୁ ମନ
ଏଇ ଜୀବନରେ କେମିତି ଭୁଲିବି
ପ୍ରେମର ପହିଲି ଦିନ ।
ମୋତେ ଛାଡ଼ି ତୁମେ ବଞ୍ଚି ପାରିବନି
ମଥା ଛୁଇଁ କଥା ଦେଲ
ପ୍ରତିଶୃତି ତୁମ ପ୍ରତାରଣା ହେଲା
ଭୁଲି ଦୂରେ ଚାଲିଗଲ ।
ସେଇ ରାସ୍ତା ଅଛି, ସେ ବରଷା ଅଛି
ମୁଁ ଆଜି ଭିଜୁଛି ଏକା
ତୁମ ସାଥେ ଆଉ ଏଇ ଜନମରେ
ଜାଣିଛି ହେବନି ଦେଖା ।
ଶ୍ରାବଣ ଆସିଲେ କାହିଁକି କେଜାଣି
ଏତେ ମନେପଡ ତୁମେ
ଆସ ଫେରି ଥରେ ମୋ ଜୀବନେ ସାଥି
ପ୍ରେମରେ ଭିଜିବା ଆମେ ।

