ବାପୁ ତୁମେ ଚାଲିଗଲା ପରେ
ବାପୁ ତୁମେ ଚାଲିଗଲା ପରେ
ବାପୁ ତୁମେ,ଚାଲିଗଲା ପରେ
ଉଇଁନି ସତ୍ୟର ଭାନୁ ଏ ଦେଶ ଅମ୍ବରେ
ଅସତ୍ୟ ଦାନବର ଅଟ୍ଟହାସ୍ୟ ଡରେ
ସତ୍ୟଲୁଚି ଅଛି କେଉଁ ଅଜ୍ଞାତ ବାସରେ ।
ବାପୁ ତୁମେ ଚାଲି ଗଲା ପରେ ।
ଅହଂ, ହିଂସା, କାମ, କ୍ରୋଧ, ମଦ ଲାଳସାରେ
ସବୁ ଏଠି କବଳିତ ତୁମେ ଗଲା ପରେ
ହେ ମହା ମାନବ ଆସି ଦେଖିଯାଅ ଥରେ
ଏମିତି ଚିତ୍ର କି ଆଙ୍କିଥିଲ କଳ୍ପନା ରେ?
ବାପୁ ତୁମେ ଚାଲି ଗଲା ପରେ ।
ଅନୁଜ ମାରଇ ଛୁରୀ ଅଗ୍ରଜ ଗଳାରେ
ସମ୍ପତ୍ତି, ପ୍ରତିପତ୍ତି ର ସଂକୀର୍ଣ୍ଣ ମୋହରେ
ପିତା ମାତା ଜରାଶ୍ରମେ ପୁତ୍ର ଆଡମ୍ବରେ
ନବ ବଧୁ ଦଗ୍ଧ ଆଜି ଯୌତୁକ ଜୁଇରେ
ବାପୁ ତୁମେ ଚାଲି ଗଲା ପରେ ।
ନାବା
ଳିକା ଜଳିଯାଏ କାମନା ବହ୍ନିରେ
ପିତୃ ତୁଲ୍ୟ ପିପାସୁ ର ଲୋଲୁପ ଦୃଷ୍ଟିରେ
ନାରୀ ଆଜି ଭୂ-ଲୁଣ୍ଠିତା କାମନା ସ୍ପର୍ଶରେ
ଏକା ଚାଲିବାକୁ ଡରେ ରାଜପଥ ଧାରେ ।
ବାପୁ ତୁମେ ଚାଲି ଗଲା ପରେ ।
ଏ ଦେଶ କୃଷକ ମରେ ଭୋକ ଉପାସରେ
ଅଯୋଗ୍ୟ ପାଏ ସମ୍ମାନ ଅର୍ଥର ବଳରେ
ଯୋଗ୍ୟତ୍ତମ ହୀନିମାନ ହୁଅଇ ଏଠାରେ
ଏମିତି ଛବି କି ଆଙ୍କି ଥିଲ କଳ୍ପନାରେ??
ବାପୁ ତୁମେ ଚାଲିଯିବା ପରେ ।
କୁଟି ଖାଇ କାଟି କେହି ପିନ୍ଧେନା ଏଠାରେ
ସର୍ବେ ଆଜି ଆକର୍ଷିତ ବିଦେଶୀ ଚିଜରେ
ହେ ସତ୍ୟ ଧର୍ମ ସାରଥୀ ଫେରି ଆସ ଥରେ
ତୁମ ଉପସ୍ଥିତି ଲୋଡ଼ା ଏ ଦେଶ ମାଟିରେ ।
ବାପୁ ତୁମେ ଚାଲି ଗଲା ପରେ ।