ମୁଁ ଗରିବ ରିକ୍ସାବାଲା
ମୁଁ ଗରିବ ରିକ୍ସାବାଲା
ଗରିବ ହେବାଟା କେଉଁ ଅପରାଧ
କୁହ ହେ ଉପର ଵାଲା
ଭୋକ ଉପାସରେ ଚାହିଁ ବସିଅଛି
ମୁଁ ବୃଦ୍ଧ ରିକ୍ସାବାଲା ।
ତିନି ଦିନ ହେଲା ଚୁଲି ମୋ ଜଳିନି
ଘରେ ନାହିଁ ତେଲ,ଲୁଣ
ପିଲା, ଘରଣୀ ମୋ ଭୋକ ଉପାସରେ
ହେଉଛନ୍ତି ହୀନିମାନ ।
ଧିକ ମୋ ଜନମ ମୋ ପିତା ପଣିଆ
ଧିକ ଧିକ ଶତ ଧିକ
ଯୋଗାଇ ପାରୁନି ମୁଠାଏ ଅନ୍ନ ମୁଁ
ମେଣ୍ଟାଇ ପାରୁନି ଭୋକ ।
କିଏ ଖାଏ ଖିରୀ ,ମଦ,ମାଂସ ,ପୁରି
ଶୁଏ ତୁଳି ତଳ୍ପ ସେଯେ
ମୁଠାଏ ପଖାଳ ଦେଇପାରୁନାହିଁ
ପିଲାଙ୍କୁ ମୋହର ମୁଁ ଯେ ।
ଏ ଭଙ୍ଗା ରିକ୍ସା ଆସରା ମୋହର
ଟାଣେ ମୋ ରୁଗ୍ଣ ଶରୀର
ଦି' ପଇସା ଯଦି ମିଳି ଯା'ନ୍ତା ଆଜି
ବଞ୍ଚି ଯାନ୍ତେ ପିଲା ମୋର ।
ଏ କି ଅବିଚାର ଦଇବ ତୁମର
କରିଛି ମୁଁ କେଉଁ ଦୋଷ
ଦୟାର ସାଗର ମୋ ବେଳକୁ କିଆଁ
ଶୁଖିଛି ହେ ଜଗଦୀଶ ?