ଲୁହରେ ଲେଖୁଛି ଚିଠି
ଲୁହରେ ଲେଖୁଛି ଚିଠି
ଲୁହରେ ଲେଖୁଛି ଚିଠି ବହୁବାର ଚାପି ଦୁଃଖ କୋହ ଭାର
ଯନ୍ତ୍ରଣା ଦଗଧ ଜୀବନର ସ୍ୱାଦ କାରୁଣ୍ୟ ଓ ହାହାକାର ॥
ଶଠତା ଛଳନା ସୁତୀବ୍ର ଲାଞ୍ଚନା ସହି ସହି ଅହରହ
ଅନ୍ତର ଦାହରେ ଦହି କୋରି ହୁଏ ଅବିରତ ମୋ ହୂଦୟ ॥
ମଧୁମୟୀ ବିଶ୍ୱ ବିଷମୟ ଆଜି ଶୂନ୍ୟତାର ଆର୍ତ୍ତ ସ୍ୱର
ଗୁମୁରି ଗୁମୁରି କାନ୍ଦଇ ଶିହରି କାରୁଣ୍ୟମୟୀ ଝଙ୍କାର ॥
ସହି ସହି ରହି ଚିନ୍ତା ଶୋକେ ସଢି ମୁଁ ଚିର ରୋରୁଦ୍ୟମାନ
ମାନବତା ଭରା ପତ୍ରଟିଏ ଲେଖା ହେଉଛି ଲୁହରେ ମାନ ॥
କାହିଁକି ନା ଏହା ଅଶ୍ରୁ ତରପଣେ ପ୍ରେରଇ ପ୍ରେରକ ଜଣେ
ପଢିଲେ ଯେ ବହୁ ବିଷୟର ବହୁ ଗୂଢ ଭାବ ଅନୁକ୍ଷଣେ ॥
ଆନ୍ଦୋଳିତ କରି ଚିତ୍ତରେ ବିହରି ଆବେଗ ଆହ୍ୱାନେ ଅଶ୍ରୁ
ଝରିଣ ଆସିବ କେହୁ ବା ସହିବ ଯନ୍ତ୍ରଣାର କଷାଘାତୁ ॥
ଉଦ୍ଧାରର ମାର୍ଗ ପାଇଁ କି ଉଦଯୋଗ ଲକ୍ଷ୍ୟେ ପ୍ରେରଣ କରୁଛି
ଚିର ଦହ୍ୟମାନ ପାଇଁ ମୁହ୍ୟମାନ ଚେତନା ମୋର ହେଉଛି ॥
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ ଲାଗିଛି ସଦା ସଂସାରେ
ଚିର ସୁଖ ଅବା ଚିର ଦୁଃଖ ବିହି ଲିହି ନାହିଁ କାହା ଭାଲେ ॥
ଏ ଘୋର ଦୁର୍ଦ୍ଦିନ ଝଡଝଞ୍ଜା ପରି ଆସି ଅଚାନକ ଆମ
ଭାଙ୍ଗି ଦେଇ ଅଛି ଜୀବନ ମାଧୁର୍ଯ୍ୟ ନବୀନ ଆଶା ସ୍ପନ୍ଦନ ॥
ହତ ହୋଇ ଏବେ ମୁର୍ହୁମୁର୍ହୁ ଦୁଃଖେ ହେଉଅଛି ସଦା ଘାରି
ନିଷ୍ପ୍ରଭ ସକଳ ଚେତନା ପ୍ରବାହ ଉଲ୍ଲାସ‐ରସ‐ମାଧୁରୀ ॥

