ଜାଡ଼ି ଜୀବନ ଅତି ହୀନିମାନ
ଜାଡ଼ି ଜୀବନ ଅତି ହୀନିମାନ
ପୁରୁଣା ଯୁଗରେ ମାଆ କ୍ଷୀର ସବୁ
ଖାଉଥିଲେ ପାଞ୍ଚ ଛଅ ବରଷ
ଜାଡ଼ି ଝିଅ ବୋଲି ଏ ଯୁଗରେ ତା'ର
ଦାଉ ସାଧିଲା ତା' ତେର ବୟସ ।
ସଞ୍ଜ ଗଡ଼ିଗଲା ମାଆ ପଠେଇଲା
ଓଷଦ ଟିକିଏ ଆଣ ଲୋ ଜାଡ଼ି
ଓଷଦ କଅଣ ଆଣିବ ଯାଇଛି
ପାଖରେ ନଥିଲା ଫୁଟି କଉଡ଼ି ।
ଭାବିଲା ଟିକିଏ ଆଗରେ ରହିଛି
ମାଉସୀ ଘରକୁ ଯିବ କି ସେହି ?
ସଅଳେ ଆଗକୁ ପାଦ ବଢାଇଲା
ଏପାଖ ସେପାଖ ରାସ୍ତାକୁ ଚାହିଁ ।
ନିଛାଟିଆ ଛକ ଗଳି ମୁଣ୍ଡ ପାଶେ
କେତେ ଗୁଡେ ଲୋକ ଆସିଲେ ମାଡ଼ି
ମୁହଁ ନାକ ତାର ଚିପି ଧରି ନେଲେ
ଗାଡିରେ ବସେଇ ନେଲେ ଯେ ଭିଡ଼ି ।
ଝୁଣି ଦେଇଗଲେ ଶରୀର ତାହାର
ପିଙ୍ଗିଦେଲେ ଆଣି ସଡ଼କ କଡ଼େ
ସେଦିନ ଦୁର୍ଦ୍ଦଶା ଦେଖି ତା'ର ମାଆ
ମୁଣ୍ଡ ପିଟି କାନ୍ଦି ତଳେ ସେ' ଗଡ଼େ ।
ଗରିବ ଝିଅକୁ ଭଗବାନ ସାହା
ଏ କଥା ସଭିଏଁ ଜାଣନ୍ତି ସତ
କିନ୍ତୁ ତା'ର ଏଇ ଅଦିନ ଦୁର୍ଦ୍ଦଶା
ଦେଖି ହସୁଛନ୍ତି ସାଥୀ ସଙ୍ଗାତ ।
ସେଦିନ କିଏସେ କଲା ଅନ୍ତଃସତ୍ତ୍ୱା
ଆଜି ଭୋଗୁଛି ସେ' ତାହାରି ଫଳ
ଚଉଦ ବର୍ଷରେ ମାଆ ହେଲା ସିଏ
ତା' ପାଇଁ ହୋଇଛି ସନ୍ତାନ କାଳ ।
କ୍ଷୀର ପାଏ ନାହିଁ ସନ୍ତାନ ତାହାର
ଶକ୍ତି ଆଉ ନାହିଁ ଚାଲିବା ପାଇଁ
ମୂର୍ମୁଷୁ ମା' ତାର ବିଛଣା ଧରିଛି
ରକ୍ଷାକର ତାକୁ କଳା ଗୋସାଇଁ ।
