ତୁମେ ସୃଷ୍ଟି ତୁମେ ସ୍ରଷ୍ଟା
ତୁମେ ସୃଷ୍ଟି ତୁମେ ସ୍ରଷ୍ଟା
ମାଟିରୁ ଆକାଶ ଯେଉଁଠି ଦେଖୁଛି
ତୁମ ସୃଜନୀର ଛିଟା ,
ନିମିତ୍ତ ମାତର ମୁଁ ମଣିଷ ଛାର
ତୁମେ ସୃଷ୍ଟି ତୁମେ ସ୍ରଷ୍ଟା।
ତୁମେ ନ ଚାହିଁଲେ ପିମ୍ପୁଡ଼ି ଟିଏ ବି
ପାଏନି ତୁମ ସାନ୍ନିଧ୍ୟ ,
କିଏ ଦେଖେ ସତେ କେଉଁ ରୂପ କାନ୍ତେ
ହୃଦ ତା' ହୁଅଇ ବାଧ୍ୟ ।
ଯାହାକୁ ଯେମିତି ଦେଇଛ ଭକତି
ଦେଖେ ସିଏ ସେହି ରୂପେ ,
ଏକ ହି ଈଶ୍ୱର ଭାବର ଠାକୁର
ଭିନ୍ନ ଖାଲି ଯେ ସ୍ଵରୂପେ ।
ଯୁଗ ବଦଳୁଛି ରୂପ ବଦଳିଛି
ତୁମେ ଅଛ ଜନ୍ମେ ଜନ୍ମେ ,
କଳି ଯୁଗେ ତୁମେ ଜଗନ୍ନାଥ ନାମେ
ବିରାଜିଛ ପୁରୀ ଧାମେ।
ପୁଣ୍ୟ ପଥ ଧାରେ ଏହି ଜଗତରେ
ରଚୁଛ କେତେ ଭିଆଣ ,
ଏ ମନ ଅବୁଝା ମନେ ଭରି ଇଚ୍ଛା
ପାଉଛି ଖାଲି କଷଣ ।
ମିଛ ଦୁନିଆରେ ସବୁ କିଛି ମାୟା
ଅଭାବି ସମ୍ପର୍କ ସାର,
ତୁମେ ହିଁ ଈଶ୍ୱର ଆଉ ସବୁ ଛାର
ମିଛେ କୁହେ ମୋର ମୋର ।
କିଛି ନୁହେଁ ମୋର ମାୟାର ସଂସାର
ଛାଡ଼ି ଚାଲିଯିବି ଦୂର,
ନାମ ଆଶ୍ରା କରି ସେ ନାମକୁ ଧରି
ଏ ମହିରୁ ହେବି ପାର ।
ଓଁ କାର ନାଦରେ ଭକ୍ତି ମନ୍ତ୍ର ସ୍ୱରେ
ବନ୍ଦ ଚକ୍ଷୁ ପଟଳରେ,
ଆତ୍ମା ପକ୍ଷୀ ମୋର ଛାଡ଼ି ଏ ଶରୀର
ମିଶୁ ଶୂନ୍ୟ ବ୍ରହ୍ମାଣ୍ଡରେ ।
ଏହି ଅଳି ଶ୍ରୀ ଛାମୁରେ .....!
