ବଦଳିଛୁ କିବା ଆମେ
ବଦଳିଛୁ କିବା ଆମେ
ନାରୀ ନାମଧାରୀ ଜ୍ୱଳନ୍ତା ଦୀପାଳି
ନାହିଁ ତା'ର ନିଜ ଘର ,
ସାରା ଜୀବନଟା ଜଳି ଜଳି ସାରେ
ପାଏନି କାହା ଆଦର।
ଜନ୍ମ ବେଳେ ମାତୃ କୋଳେ ରହି ଦେଖେ
ନେତ୍ରେ ଅଶ୍ରୁ ପଡ଼େ ଗଳି ,
ମାଆ ତ ଶୁଣଇ କେତେ କା' ଟାପରା
ଝିଅ ଜନ୍ମ କଲା ବୋଲି ।
ପୁଅ ଭାଗ୍ୟବାନ ନର୍କୁ ରକ୍ଷାକାରି
ଆଗାମୀ ବଂଶ ରକ୍ଷକ ,
କନ୍ୟା ପର ଧନ ପର ପାଇଁ ଜନ୍ମ
ଶୁଣଇ ଜୀବନ ଯାକ।
ଶିକ୍ଷା, ଦୀକ୍ଷା ବେଳେ କିଏ ବା' ପଚାରେ
ସର୍ବଦା ପୁଅ ଆଗୁଆ,
ଝିଅର ବେଳକୁ ହେୟଜ୍ଞାନ ସଦା
ମୂଲ୍ୟହୀନ ସେ' ପଛୁଆ ।
ସଂଘର୍ଷ କରଇ ସାରା ଜୀବନଟା
ପାଇବାକୁ ଅଧିକାର,
ନିଜର ଲୋକଙ୍କୁ ପର କରିବାକୁ
ବାଧ୍ୟ କରେ ଏ ସଂସାର।
ପର ଘରେ ନିଜ ସ୍ୱାଧିକାର ପାଇଁ
ହଜାଇ ନିଜ ଠିକଣା,
ପରକୁ ଆପଣା କରିବା ପଛରେ
ମିଳେ କେତେ ଉଲୁଗୁଣା ।
ତଥାପି ନିଜର ମନ ଭାବନାକୁ
ବଞ୍ଚାଇ ରଖି ଆଦରେ ,
ନିଜ କର୍ମ ଗୁଣ ନିଜର ସମ୍ପତ୍ତି
ଭାବି ଆଗାଏ ସଂସାରେ।
ସ୍ନେହ ଶ୍ରଦ୍ଧା ପ୍ରେମେ ବାନ୍ଧିରଖେ ମନ
ଜଳି ଜଳି ଦିନ ରାତି ,
ଘର ସଂସାରକୁ ସ୍ବର୍ଗ କରିବାକୁ
କାଳିମାକୁ ଦିଏ ପୋତି।
ସର୍ବେ ଜାଣିଛନ୍ତି ନାରୀ ଟିଏ ସଦା
ଘରକୁ କରଇ ସ୍ବର୍ଗ ,
ଦୁହିତା ବୋଲିଣ ଦୁଇ କୂଳ ଲୋକେ
ତା ' ପାଇଁ କରନ୍ତି ଗର୍ବ।
ବୃକ୍ଷ କିବା କହେ କେବେହେଲେ ମୋର
ଫଳ କେହି ଖାଇବନି ,
ନଦୀ କଣ କହେ କେବେହେଲେ ମୋର
ଜଳକୁ କେହି ନେବନି।
ସେମିତି ନାରୀ ବି ନଦୀ, ଗଛ ପରି
ଦୁଃଖ ଦେଇ ପାରେନାହିଁ,
ଏ ମହୀ ମଣ୍ଡଳେ ନିଜେ ଜଳି ଜଳି
ବିଶ୍ବାସକୁ ହାରେନାହିଁ ।
ମାଆ କଣ କେବେ କନ୍ୟାକୁ ଆଡେ଼ଇ
ସ୍ତନ୍ୟପାନ କରାଏନି ?
ପୁଅକୁ ବଞ୍ଚାଇ ଝିଅ ପାଇଁ କଣ
ସେତିକି କଷ୍ଟ ସହେନି ?
ଅନ୍ଧ ଏ ଜଗତ ଅନ୍ଧ ଏ ସମାଜ
ଆଜି ବି ବୁଝେନି ମନ ,
ପଦେ ପଦେ ନାରୀ
ଆଜିବି ସମାଜେ
କ୍ଷତାକ୍ତ କରନ୍ତି ଜନ ।
ଭାଗ୍ୟ କଣ କେବେ ବଦଳେଇ ହୁଏ
ପୁଅ ହେଉ ଅବା ଝିଅ ,
ଯାହାବି ମିଳଇ ପ୍ରଭୁ କୃପା ବଳେ
ତାକୁହିଁ ସ୍ଵୀକାରି ନିଅ ।
ଝିଅ ନଥିଲେ କି ପୁଅ ଟିଏ କୁହ
କାହାର ରଖିବ ନାମ ,
ଝିଅକୁ ବଞ୍ଚାଇ ରଖିଲେ ସମାଜେ
ପୁତ୍ରର ହେବ ଜନମ ।
ବିଶ୍ଵ ରଚୟିତା ସୃଷ୍ଟି କରିଛନ୍ତି
ପୁଅ ଝିଅ ଉଭୟଙ୍କୁ ,
ଆନନ୍ଦ ମନରେ ଆଦରି ନିଅ ହେ!
ସ୍ରଷ୍ଟାଙ୍କ ଏ ସନ୍ତାନଙ୍କୁ ।
ଭେଦଭାବ ଭରା ହୀନ ମନୋଭାବ
ନ ଆଣି ନିଜର ମନେ ,
ପଚାରିବ ବସି ନିଜ ହୃଦୟକୁ
ବଦଳିଛୁ କିବା ଆମେ ।?
Copyright @Dr . Pranati Panda ©
