STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

ଆଉ ଏକ ସମାପ୍ତିର ଘୋଷଣା ବିଦାୟୀ ୨୨

ଆଉ ଏକ ସମାପ୍ତିର ଘୋଷଣା ବିଦାୟୀ ୨୨

1 min
151

ପକ୍ଷୀଟିଏ ପରି ଉଡ଼ି ଆସି ଶୂନ୍ୟରୁ ସେ ଦିନ

ସମୟର ଗଛ ଡାଳରେ ବାନ୍ଧିଥିଲା ବସା

ନୂଆ ବର୍ଷଟିଏ ହୋଇ ଦୁଇ ହଜାର ବାଇଶ

ନିର୍ଦ୍ଦିଷ୍ଟ ପରମାୟୁ ଥିଲା ତାର କ୍ୟାଲେଣ୍ଡରରେ

ତିନିଶହ ପଞ୍ଚଷଠି ଦିନ ମାତ୍ର......

ସଂଖ୍ୟା ଗଣନର କ୍ରମରେ ଏକ ପରେ ଏକ 

ବିତାଇଲା ସେ ଆମ ସାଥୀରେ ବାରମାସ

ଛଅଋତୁର ଦୁଃଖ ବିଷାଦଭରା ବହୁ କ୍ଳେଶ

ସହିଛି ସେ ପ୍ରାକୃତିକ ଦୁର୍ବିପାକ ଝଡ଼ ବର୍ଷା ମାଡ଼

ପ୍ରଚଣ୍ଡ ରୌଦ୍ରତାପରେ ବି ଜଳିଛି ସିଝିଛି

ପୁଣି ଶୀତର କମ୍ପରେ କମ୍ପାଇଛି ତା' ହୃଦୟକୁ 

ମୁଣ୍ଡପାତି ବରି ନେଇଛି ଯେତେ ଘନଘଟା

ଆପତ୍ତି ଅଭିଯୋଗ କରି ନାହିଁ ଅବିବେକିଙ୍କଠାରେ

ସୁଖରେ ବି ମିଳାଇଛି ହାତ ଆତ୍ମୀୟଙ୍କ ଭଳି

ଫୁଲର ଫଗୁଣରେ ହସି ହସାଇଛି ଆମକୁ

ଦେଇଛି ମନରେ ପ୍ରେମ ପ୍ରୀତିର ସବୁ ରଙ୍ଗ ଭରି 

ଜୀବନ ମରୁରେ ସୁନ୍ଦର ମରୁଦ୍ୟାନ ସାଜି 

ଦେଇଛି ଅନେକ ଶାନ୍ତି ସନ୍ତୋଷ ତୃପ୍ତି

ହୋଇଛି ସେ ଆମର ସାହାରା.......

ବୁଝି ସେ ବୁଝାଇଛି ଭାଇ ସମ ଜୀବନର ସଂଜ୍ଞା

ଦେଇଛି ପ୍ରେରଣା ଉତ୍ସାହ ଭରି ପ୍ରତି ପ୍ରାଣରେ

ଚଳାଇବାକୁ ସତ୍ୟ ପଥରେ ଅଭିଯାନ

ଦୈନଦିନର କର୍ମ କ୍ଳାନ୍ତିରେ ଲେଖିଛି ଇତିହାସ

ବଦଳାଇଛି ସେ କିଛି କିଛି ଭୌଗୋଳିକ ମାନଚିତ୍ର

ନିର୍ମଳ ଭାବ ମୂର୍ତ୍ତିରେ ଅମ୍ଳାନ ରଖିଛି ତା' ଚରିତ୍ର

ବହୁ ସମସ୍ୟାର ବି କରିଛି ସମାଧାନ

ଏବେ ଆଉ ନାହିଁ ତା' ପାଖରେ ବିଶେଷ କିଛି

କେଇ ମୁହୂର୍ତ୍ତ ପରେ ଚାଲି ଯିବ ସେ ସମସ୍ତଙ୍କଠାରୁ

ସମୟର ଡାଳରେ ଲେଖା ରହିଥିବ ତାର ନାମଟି

କେଇଟା ଅକ୍ଷରରେ " ଦୁଇ ହଜାର ବାଇଶି " 

ଯିବା ବେଳେ ପୁନର୍ବାର ସୂଚାଇବା ପାଇଁ

କରୁଛି ଆଉ ଏକ ସମାପ୍ତିର ଘୋଷଣା

ଯିବାକୁ ତ ହେବ ସମସ୍ତଙ୍କୁ ବିଧିର ବିଧାନରେ

ଯିବା ପୂର୍ବରୁ ଛାଡ଼ି ଯାଅ କିଛି ମଧୁର ସ୍ମୃତି

ଯା'ର ସ୍ମରଣରେ ପଥ ଚାଲିଥିବ ପରବର୍ତ୍ତୀ ପିଢ଼ି

ହୃଦୟରେ ରଖି ଆତ୍ମୀୟତାର ଅନୁରାଗ......

ନୂତନ ବର୍ଷ ଆସିବାର ଅବ୍ୟବହିତ ପୂର୍ବରୁ

ଏ ହେଉଛି ଆଉ ଏକ ସମାପ୍ତିର ଘୋଷଣା।



Rate this content
Log in

Similar oriya poem from Tragedy