ନିୟତିର ପଶାଖେଳ
ନିୟତିର ପଶାଖେଳ
ସବୁ ଆଶା ଆଜି ମଉଳି ଯାଇଛି
ସ୍ୱପ୍ନ ବି ହଜି ଯାଇଛି,
ଜୀବନ ଯୁଦ୍ଧରେ ହାରି ଯାଇ ଯୋଦ୍ଧା
ଏକାକୀ ବସି କାନ୍ଦୁଛି ।
ସପତ ରାତିର ସକାଳ ନୋହିଲା
କାଳ ରାତ୍ରି ହେଲା ଭାରି,
ସ୍ବପ୍ନପୁରୀରେ ନିଆଁ ଲାଗିଗଲା
ଆତ୍ମା କାନ୍ଦେ ରାହା ଧରି ।
ମହଲତ ଆଉ ଦେଲେ ନାହିଁ ପ୍ରଭୁ
ଡାକି ନେଲେ ତାଙ୍କ ପାଶ,
ଝିଅ ଖୋଜୁଅଛି ମାଆର ପଣତ
କୋମଳ ହାତ ପରଶ ।
ସ୍ୱାମୀ ଖୋଜୁଅଛି ପ୍ରାଣ ପ୍ରିୟା ତାର
ସବୁ ଶ୍ରମବୃଥା ହେଲା,
ବାକ୍ ଶୁନ୍ୟ ଆଜି କି ଉତ୍ତର ଦେବ
ମୁଣ୍ଡରେ ବଜ୍ର ପଡିଲା ।
ବୁଢ଼ୀ ଶାଶୁ ମାଆ ବାଟ ଚାହିଁଥିଲେ
ବୋହୁ ମୋ ଆସିବ ଫେରି,
କିଏ ଜାଣିଥିଲା ବୋହୁ ବେଶ ସାଜି
ଯିବ ସେ ସରଗପୁରୀ ।
ନିୟତିର ପଶାଖେଳ ଯେ ବିଚିତ୍ର
ଆଜି ପୁରା ବୁଝି ଗଲି,
ନିମିତ୍ତ ମାତ୍ର ଏ ଜୀବନର ସତ୍ତା
ଆଜି କଥା ନାହିଁ କାଲି ।
ଧୂପକାଠି ପରି ମଣିଷ ଜୀବନ
ଜନମଠୁ ଲାଗେ ନିଆଁ,
ଧୂପ ସରିଗଲେ ନିଆଁ ଲିଭିଯାଏ
କାଠି ହୋଇଥାଏ ଠିଆ ।