ମୃତବିବାହ
ମୃତବିବାହ
ବିବାହ ବେଦୀରେ ହୋମ ନିଆଁ ସହ
ପୋଡ଼ି ହୋଇଯାଇଥିଲା
ନବବଧୂର ଅସୁମାରୀ ଆଶା ଓ ଆକାଂକ୍ଷା ।
ପବିତ୍ର ବେଦମନ୍ତ୍ରର ଧ୍ଵନୀ ସାଙ୍ଗକୁ
ସମାନ୍ତର ଭାବେ ଶୁଣାଯାଉଥିଲା
ଏକ ଅବଶ ପିତାର ଆତୁର କ୍ରନ୍ଦନ ସ୍ବର ।
ସୌଦାଗର ସାଜି ବରଟି
ଯୌତୁକ ବଜାରରେ ପାଲଟିଛି
ଏକ ନିର୍ଜୀବ ନିଲାମ ସାମଗ୍ରୀ।
ମେହେନ୍ଦୀର ଗାଢ ରଙ୍ଗ ସହ
ଧୀରେ ଧୀରେ ଗାଢ ହୋଇ ହୋଇ ଯାଉଛି
ଅମାବାସ୍ୟାର ଘନ ଅନ୍ଧକାର
ନିରୀହ ଝିଅଟିର ନୀରବ ରାତ୍ରୀ ଆକାଶରେ ।
ନାହିଁ ସେଠି ସଂପର୍କର ପୂର୍ଣ୍ଣତା
ବିବାହର ଅନାବିଳ ଆତ୍ମୀୟତା
ମଥାରେ ଝଟକୁଥିବା ସିନ୍ଦୂରର ଲାଲ୍ ରଙ୍ଗ
ରକ୍ତିମ ଆଭାରେ କେବଳ କ୍ଷତାକ୍ତ କରିନି
ତା'ର ମନକୁ
କିନ୍ତୁ ଏହା ସମ୍ପ୍ରସାରିତ ତା' ହୃଦୟ ଠାରୁ
ଆତ୍ମା ପର୍ଯ୍ୟନ୍ତ ।
ମୃତ ବିବାହର ବୋଝ ତଳେ
ଚାପି ହୋଇ
ଶତଧା ମୃତ୍ୟୁ ଲାଭ କରୁଛି
ଆଉ ଏକ ନିଷ୍ପାପ ହୃଦୟ ।
ତଥାପି ;
ଓଠରୁ ଲିଭିନି ତା'ର ମିଛ ହସର ଧାର
ମଥାରେ ଆଜି ବି ଝଟକୁଛି ସେ ଲାଲ୍ ସିନ୍ଦୂର ।