STORYMIRROR

Aishwarya Mishra

Others

4  

Aishwarya Mishra

Others

ଅସ୍ତିତ୍ୱର ଅନ୍ତିମ ସ୍ୱର

ଅସ୍ତିତ୍ୱର ଅନ୍ତିମ ସ୍ୱର

1 min
1


ତୁମେ କ'ଣ ଶୁଣିପାରୁଛ—
ସେଇ ଶେଷ କାକର ବିନ୍ଦୁର କ୍ଷୀଣ ସ୍ୱର?
ଯାହା ଆଜି ପବନର ନିଷ୍ଠୁର ଆଲିଙ୍ଗନରେ ଝରିଯାଉଛି... 
ସମସ୍ତଙ୍କ ଅଲକ୍ଷ୍ୟରେ,
ମାଟିର କଠୋର ଶେଯରେ ।।

ଅସ୍ତରାଗର ସ୍ୱପ୍ନିଳ ସବୁଜ ଶାଖାରେ,
ପହିଲି ହେମନ୍ତର ସ୍ପର୍ଶ ପାଇ ,
ସଜେଇ ହୋଇ ଉଠିଥିଲା ,
ସୁନ୍ଦର ଏକ କାକର ବିନ୍ଦୁ ।।
ପବନର ପାଲିଙ୍କିରେ ବସି , ଖେଳୁଥିଲା ଦୋଳି,
ମନେ ମନେ ଭଲ ପାଇ ବସିଥିଲା,
ସେଇ ସବୁଜ, ସତେଜ ପତ୍ରଟିକୁ ।।
ଭାବିଥିଲା—
ଏହି ଆଲିଙ୍ଗନ ଚିରନ୍ତନ,
ଏହି ସାନ୍ନିଧ୍ୟ ଅମର ।।

ହେଲେ ସରି ସରି ଆସିଲା ଜୀବନର ରାତି,
ଏବେ ତ ତା'କୁ ଫେରିବାକୁ ହେବ ;
ବାଳଭାନୁଙ୍କ ପ୍ରଥମ କିରଣର ପରଶରେ, 
ଅପସରି ଯିବ ତା'ର ରୂପ, ରଙ୍ଗ, ଅବୟବ ।।

ତଥାପି ସେ ସବୁଜ ପତ୍ରର କୋଳରେ,
ଶେଷ ଥର ପାଇଁ ମୁଣ୍ଡ ଗୁଞ୍ଜି ଦେବାକୁ ଚାହେଁ ...
ସାଉଁଟି ନେବାକୁ ଚାହେଁ, 
ଅନାବିଳ ପ୍ରେମର ଅନ୍ତିମ ସ୍ମୃତି ...

ଅନୁନୟ କରେ ପବନକୁ—
"ସକାଳ ହେବା ଆଗରୁ ,
ମତେ ଏଇଠି ହିଁ ମାଟିରେ ମିଶିବାକୁ ଦିଅ ।
ଏଇ ଗଛର ଗହଳିଆ ଚେର ଭିତରେ ,
ଲୀନ ହୋଇଯାଉ ମୋର ସମସ୍ତ ଅସ୍ତିତ୍ୱ,
ହଜିଯାଉ ମୋର ଶେଷ ଆୟୁଷ ଟିକକ ।। "

ଏଇ ବୋଧେ ଜୀବନ—
ଏକ ଅନ୍ତହୀନ ଧୂସର ପୃଷ୍ଠା,
କାଳି ସରିଯାଏ, ହେଲେ ଗପ କେବେ ସରେନାହିଁ ।।
ଲେଖିବାକୁ ବାକି ରହିଯାଏ ,
ଅନେକ ଅକୁହା କଥା,
ଯେତେ ଚେଷ୍ଟା କଲେ ବି ସେସବୁ ଆଉ ଲେଖିହୁଏ ନାହିଁ ।।

ଆମେ ତ କେବଳ ପାନ୍ଥଶାଳାର କ୍ଷଣିକ ପଥିକ,
ରାତି ପାହିଲେ ବାହାରିବାକୁ ହୁଏ ସମସ୍ତଙ୍କୁ,
ନିଜ ନିଜର ଭାଗ୍ୟର ବୋଝ ମୁଣ୍ଡେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍