ବୋଉ ତୁ ବାଟ ଚାହିଁ ,ବସୁଥିଲୁ ବୋଲି
ବୋଉ ତୁ ବାଟ ଚାହିଁ ,ବସୁଥିଲୁ ବୋଲି


ବୋଉ ତୁ ବାଟ ଚାହିଁ , ବସୁଥିଲୁ ବୋଲି
ମୁଁ ରାତି ଅଧରେ , ବେଧଡ଼କ ଫେରୁଥିଲି ଅଫିସ୍ ରୁ
ଅଧିକାର ସାବ୍ୟସ୍ତ କରି କହୁଥିଲି ;
ଖାଇବା ବାଢେ ଜଲଦି ଜଲଦି ,
ହଁ , ଟିକେ ଗରମ କରି ଆଣିବୁ , ହେଲା !
ଏତେ ରାତିରେ ଥଣ୍ଡା ଥଣ୍ଡା ଖାଇ ହେବନି ।
ଏବେ ଏକା ଏକା ରହିବା ପରେ
ନା , ମୁଁ ରୋଷେଇ କରୁଛି !
ନା , ମୁଁ ଶାନ୍ତିରେ ମୁଠେ ଖାଇପାରୁଛି !
ହଁ , ଯଦି କେବେ ରାନ୍ଧି ଦେଉଛି !
ରାତି ଅଧରେ ଆଉ ତା'କୁ ଗରମ କିଏ କରୁଛି !!!
ତୁ ଜାଣିଛୁ ,
ମୁଁ ବି ଏବେ ବାଟ ଚାହିଁ ବସୁଛି ,
ସ୍ବିଗି ଆଉ ଜୋମାଟୋ ର ,
କେବଳ ଗଣ୍ଡେ ଖାଇବା ଲୋଭରେ ।
ବୋଉ ତୁ ବାଟ ଚାହିଁ , ବସୁଥିଲୁ ବୋଲି
ମୁଁ କଲେଜ ବାହାନା କରି ,
ଶହେ ଯାଗା ବୁଲୁଥିଲି ;
କେତେ ଖଟି , କେତେ ରାଜନୀତିରେ
ମୋ ମୁଣ୍ଡ ପୂରାଉଥିଲି ,
ଡାଏରୀ ର ଫର୍ଦ୍ଦ, ପରେ ଫର୍ଦ୍ଦ
ଭର୍ତ୍ତି ହେଉଥିଲା କବିତାରେ ,
ଦିନମାନ ବିତି ଯାଉଥିଲା ,
କବିତା ଆସର ଆୟୋଜନରେ ।
ଏବେ ବି ମୁଁ ଅଛି
ମୋ ପାଖରେ ଛୁଟିଦିନରେ
ଅଯଥା ସମୟ ବି ବଳୁଛି ,
ବଦଳିଛି ତ କେବଳ,
ମୋ ଘର ଠିକଣା
ତୋ' କୋଳ ଠିକଣା ,
ଏବେ ତ କାହିଁ ମନେପଡୁନି କବିତା
କେବଳ ମନେପଡୁଛୁ ତୁ ,
ଆଉ, ଚଉରା ମୂଳେ ଜଳୁଥିବା
p>
ତୋ' ସଂଜ ସଳିତା ।
ବୋଉ ତୁ ବାଟ ଚାହିଁ , ବସୁଥିଲୁ ବୋଲି
ମୁଁ ନିଶ୍ଚିନ୍ତ ହୋଇ ଘଡ଼ିଏ ଶୋଉଥିଲି
ତୋ' କୋଳରେ ମୁଣ୍ଡ ଗୁଞ୍ଜି,
ପରୀକ୍ଷାର ସବୁ ବୋଝକୁ ,
ଅନାୟାସରେ ହାଲୁକା କରି ଦେଉଥିଲି ,
ତୁ ମୋତେ ନିଦରୁ ଉଠାଇ ଦେଉଥିଲୁ ନା,
ଠିକ୍ ରାତି ଚାରିଟା ରେ ,
ପାଖରେ ବସି ପଚାରୁଥିଲୁ ;
ଇତିହାସ- ଭୂଗୋଳ ।
ସତ କହୁଛି ବୋଉ ,
ତୋ' ଠାରୁ ଦୂରକୁ ଆସିବା ପରେ
ମୁଁ ଇତିହାସ ବହି ଧରିନି ,
ଅଫିସର ଫାଇଲ ଭିତରେ
ଜୀବନ ଜଞ୍ଜାଳର, କଷଟି ପଥରରେ ;
ଘଷି-ମାଜି ହୋଇ
ମୁଁ ନିଜେ ହିଁ ମୋର ସତ୍ତା ଖୋଜି ପାଉନି ।
ବୋଉ ତୁ ବାଟ ଚାହିଁ , ବସୁଥିଲୁ ବୋଲି
ମୁଁ ଘର କମ୍ପଉଥିଲି ,
ବୋଉ ବୋଉ ଡାକରେ ,
ମାମୁଁଘରୁ ଫେରିଲେ ,
ଆଗ ତୋତେ ହିଁ ଖୋଜୁଥିଲି ,
ଥରେ ଦେଖି ଦେଲେ
କୋଟି ନିଧି ମିଳିଗଲା ପରି ଲାଗୁଥିଲା ।
ଏବେ ବି ମୁଁ ସେମିତି ଖୋଜୁଛି ତୋତେ,
ତୋ' କୋଳକୁ ,
ତୋ' ହାତ ତିଆରି ;
ଗୋଲ୍ ଗୋଲ୍ ମଣ୍ଡା ପିଠାକୁ ,
ଶୀତଳ ଷଷ୍ଠୀର ସୋଲା ସିଝା ,
ଆଉ , ମହାଷ୍ଟମୀର ମାଛ ବେସରକୁ ,
ଏବେ, ମୁଁ ବାଟ ଚାହିଁ ବସୁଛି ,
କେବେ ଆସିବ !
ଗୋଟିଏ ଲମ୍ବା ଛୁଟି,
କେବେ ମୁଁ ତୋ' କୋଳରେ ଶୋଇ ,
ହଜିଯିବି ,
ମିଠା ମିଠା ସପନ ରାଇଜରେ !