STORYMIRROR

LALIT MOHAN DASH

Drama Fantasy

5  

LALIT MOHAN DASH

Drama Fantasy

ଦର୍ପଣ

ଦର୍ପଣ

4 mins
432

ଦର୍ପଣ ସମ୍ମୁଖରେ ଠିଆ ହୋଇ ନିଜକୁ ଦେଖୁଥିଲେ ସୁଲୋଚନା। ବୋଧହୁଏ ଦୀର୍ଘ ତିରିଶ ବର୍ଷର ବ୍ଯବଧାନରେ ସେ ଆଜି ପ୍ରଥମ କରି ନିଜକୁୁ ଦେଖୁଛନ୍ତି। ବାହାଘର ପରେ କେବେ ନିଜକୁ ଦର୍ପଣ ସମ୍ମୁଖରେ ଶେଷଥର ପାଇଁ ଦେଖିଥିଲେ, ସେ କଥା କାହିଁ ମନେ ପଡୁନାହିଁ ତାଙ୍କର। ଗାଧୁଆ ସରିବାପରେ ଠାକୁର ପୂଜାଠାରୁ ଆରମ୍ଭ କରି ରୋଷେଇ, ଖାଇବା, ବାସନ ଧୁଆ, ଲୁଗାପଟା ସଫା, ଇସ୍ତ୍ରୀ କରିବା, ପିଲାମାନଙ୍କ ଯତ୍ନ ନେବା, ଘରର ସମସ୍ତ ସଦସ୍ଯ ମାନଙ୍କ କଥା ବୁଝିବା, ଏହାରି ମଧ୍ଯରେ ସେ ନିଜକଥା କେବେ ଭାବିଥିବେ, ଏକଥା ମଧ୍ଯ ତାଙ୍କର କାହିଁ ମନେ ପଡୁନି। କେତେବେଳେ ସ୍ୱାମୀଙ୍କ ଆଖିରେ, କେତେବେଳେ ପିଲାମାନଙ୍କ ଆଖିରେ, କେତେବେଳେ ଶାଶୁ ଶ୍ୱଶୁର ଙ୍କ ଆଖିରେ ତ ପୁଣି କେତେବେଳେ ସେ ନିଜକୁ ନିଜର କର୍ମ ଜଞ୍ଜାଳ ଭିତରେ ଆବିଷ୍କାର କରିଛନ୍ତି।


ଆଜି କିନ୍ତୁ ସେ ନିଜକୁ ଦର୍ପଣରେ ନୁହେଁ, ବରଂ ଆତ୍ମଦର୍ପଣରେ ଦେଖୁଛନ୍ତି, ଏ ଜୀବନରେ ସେ କ'ଣ ପାଇଛନ୍ତି ଆଉ କ'ଣ ହରାଇଛନ୍ତି। ନିଜକୁୁ ନିଜେ ପ୍ରଶ୍ନ କରିଛନ୍ତି, ସେ ଯାହା ପାଇଛନ୍ତି ତାହା କ'ଣ ତାଙ୍କର ପ୍ରାପ୍ଯ ଥିଲା? ଆଉ ଯାହା ହରାଇଛନ୍ତି ତାହା କ'ଣ ତାଙ୍କପାଇଁ ଉଦ୍ଦିଷ୍ଟ ନଥିଲା?


ମନେପଡେ ଯେଉଁଦିନ ସେ ଏ ଘରକୁ ବୋହୂ ହୋଇ ଆସିଥିଲେ। ମାଆ ବୁଝାଇ କହିଥିଲେ, "ତୋ ଜୀବନର ସବୁଠାରୁ ବଡ ପରୀକ୍ଷା ମା' ଏବେ ଦେବାକୁ ଯାଉଛୁ। ସବୁ ପ୍ରଶ୍ନ ସହଜ ତ ହେବନି। ବହୁତ ଅସମାହିତ ପ୍ରଶ୍ନ ସବୁ ଆସିବ ଏ ଜୀବନରେ। ହାରି ଯିବୁନି କେବେ। ମନକୁ ଦୃଢ଼ କରି କର୍ମ କରି ଚାଲିବୁ। ସବୁଠାରୁ ଦ୍ରୁତଗାମୀ ମନର ଗତି । ଆଉ ସେହି ମନର ଲଗାମ ଖୁବ୍ ଶକ୍ତ ଭାବେ ଧରିବୁ, ହାତରୁ ଯେପରି ଖସି ନଯାଏ ।"


ହଁ ଆଜିଯାଏ ତ ସେ ସେହି ଲଗାମକୁ ଧରି ଆସିଛି। ସେଥିପାଇଁ ସମ୍ମୁଖରେ ଅନ୍ଯାୟ, ଅନୀତି ଦେଖି ମଧ୍ଯ ନଦେଖିବାର ଅଭିନୟ କରିଛି। ବିନା ଦୋଷରେ ସମସ୍ତଙ୍କ ରୋଷର ଶିକାର ହୋଇଛି। ନିଜର ଦୁଃଖକୁ ଲୁଚାଇବାକୁ ଯାଇ ସମସ୍ତଙ୍କ ସମ୍ମୁଖରେ ହସିବାକୁ ଚେଷ୍ଟା କରିଛି। ନା ଅଛି ସେ ହସରେ ଖୁସିର ପୀୟୂଷ, ନା ଆନ୍ତରିକତାର ମାଧୁର୍ଯ୍ୟ। କେବଳ ଗୋଟେ ରୋବର୍ଟ ପରି ଚଳଚଞ୍ଚଳ ହୋଇ କର୍ମ କରିଚାଲିଛି। ଏହି ତ ଆଜି ତା ଜୀବନର ମାନଦଣ୍ଡ। ବୁଡିଆଣୀ ସୂତା ପରି ଗୁଡେଇ ହୋଇ ରହିଛି ତା ଦେହରେ, ନିର୍ମୂଳି ଲଟା ପରି ମାଡି ଚାଲିଛି ତା' ଅନ୍ତରର ମହାଦ୍ରୁମକୁ କାବୁ କରି । ଜଣାନାହିଁ କେତେବେଳେ ସେ ମହାଦ୍ରୁମରୁ ସମସ୍ତ ନିର୍ଯ୍ୟାସକୁ ଶୋଷିନେଇ ତାକୁ ଶେଷ କରିଦେବ।


ନିଜକୁୁ ସମସ୍ତଙ୍କ ସହ ସାମିଲ କରି ଭୁଲିଯାଇଛି ସେ ତା'ର ଅତୀତକୁ, ଅତୀତର ସମ୍ପର୍କକୁ, ସାଙ୍ଗସାଥୀ, ଖେଳକୁଦ ସବୁକିଛି। ଏକ ଯନ୍ତ୍ର ମାନବର ଆଖ୍ୟା ନେଇ ଆଜି ସେ ହୋଇଯାଇଛି ସମ୍ପୂର୍ଣ୍ଣ ଏକାକିନୀ। ଯେଉଁ ସମ୍ପର୍କ ଯଜ୍ଞରେ ସେ ନିଜକୁ ଆହୂତି ଦେଇ ଚାଲିଥିଲା, ତାହା ତା' ପାଇଁ ନର୍କ କୁଣ୍ଡ ପାଲଟି ଯାଇଛି। ଆଉ ସେହିଥିରେ ସେ ପ୍ରତିକ୍ଷଣ ତିଳ ତିଳ ହୋଇ ଦଗ୍ଧ ହୋଇଚାଲିଛି।


ସମାଜର ରାଜନୀତିକୁ ଘୃଣା କରୁଥିବା ମଣିଷଟି ଆଜି ପରିବାରର କୁଟନୀତିର ଚକ୍ରବ୍ୟୁହ ମଧ୍ଯରେ ଧସେଇ ପଶିଯାଇଛି ସିନା ହେଲେ ମୁକ୍ତିର ପଥ ତାକୁ ଜଣା ନାହିଁ। ବୀର ଅଭିମନ୍ୟୁ ପରି ସେ ମଧ୍ଯ ଆଜି ମହାରଥୀମାନଙ୍କ କପଟ ଫାସରେ ବନ୍ଦୀ ହୋଇଯାଇଛି ଜୀବନ ଯୁଦ୍ଧରେ। ସ୍ୱାଭିମାନର ଅଗ୍ନିରେ ଦଗ୍ଧ ହୋଇଚାଲିଛି ସେ।


ସମସ୍ତେ ନିଜନିଜ ପଥରେ ଚାଲି ଯାଇଛନ୍ତି। କେହି ବି ଫେରି ଚାହିଁ ନାହାଁନ୍ତି ପଛକୁ। କେବଳ ସେ ହିଁ ରହିଯାଇଛି ପଛରେ। ହେଲେ ଏହି ଦର୍ପଣ ???? ଜୀବନର ସମସ୍ତ ସତ୍ଯକୁ ଦର୍ଶାଇ ଦେଇଛି । ଆଉ ଆଜି ଏହି ଦର୍ପଣ ମାପିଛି ବୟସକୁ। ଧୀରେ ଧୀରେ ଆସି କହୁଛି ମନ ଗହନର ଗୋପନ କଥା । ସମୟ ବଦଳିଛି, କିନ୍ତୁ ମନ ତ ବଦଳିନି। ତାକୁ ଆଗକୁ ବଢିବାକୁ ହେବ। ସମୟ ସହିତ ନିଜକୁୁ ବଦଳାଇବାକୁ ପଡିବ।


ନିଜକୁ ସଜାଉଥିଲା ସୁଲୋଚନା। ସତରେ ୟା ଭିତରେ ତା'ର କେତେ ପରିବର୍ତ୍ତନ ହୋଇଯାଇଛି । ମାଆ ପକ୍ଷୀଟି ପିଲାମାନଙ୍କ ଅଧରରେ ଆଧାର ଦେଉଦେଉ କେତେ ଯେ ସମୟ ବିତିଯାଇଛି ତାହାର ହିସାବ ସେ ରଖିପାରିନି। ଶାବକମାନେ ବଡହୋଇ ଉଡାଣ ଶିଖି ଯାଇଛନ୍ତି ଆଉ ଉଡିଯାଇଛନ୍ତି ନୂଆ ନୀଡର ସନ୍ଧାନରେ। ବହୁତ ଖୁସି ହୋଇଛି ସେ। ହେଲେ ସତରେ ସେ କ'ଣ ହୃଦୟରୁ ଖୁସି ହୋଇ ପାରିଛି? ପିଲାମାନଙ୍କୁ ପାଖରୁ ହରାଇବାର ଦୁଃଖ ତାକୁ କ'ଣ ମ୍ରିୟମାଣ କରିଦେଉନି? ଏହି ତ ଦୁନିଆଁ। ଭଙ୍ଗା ଗଢା ସଂସାରର ରୀତି ନୀତି। ସେଥିପାଇଁ ସେ ମନ ଉଣା କରୁଛି ବା କାହିଁକି? ବୋହି ଆସୁଥିବା ଲୁହକୁ ଯଥାସମ୍ଭବ ଲୁଚାଇବାକୁ ଚେ଼ଷ୍ଟା କରୁଥିଲା ସେ।


ପଛରୁ କାନ୍ଧରେ କାହାର ସ୍ପର୍ଶ। ବୁଲି ଚାହିଁଲା ସେ। "କିଏ? " , ବାହାରି ଆସିଲା ପାଟିରୁ।

"ମୁଁ ପରା ସ୍ମୃତି । ତୋ ପିଲା ବେଳର ସାଙ୍ଗ। ସମୟର ଉଠାପକା ଖେଳ ଭିତରେ ତୋ ସହ କେତେ କେତେ ହସ ଦୁଃଖର ଦିନସବୁ ବିତାଇଛି ତା'ର କଳନା ନାହିଁ। ମୁଁ କ'ଣ ତୋତେ ଛାଡି ଯାଇପାରିବି? ସଦା ସର୍ବଦା ତୋ ପାଖେ ପାଖେ ରହିଥିବି। ଚାଲ ସେହି ଖୁସିର ଦିନଗୁଡିକୁ ପୁଣିଥରେ ଉପଭୋଗ କରିବା। ମଜ୍ଜିଯିବା ତାହାରି ମନ ଭିତରେ। ଦୁଃଖର ଶବ୍ଦକୁ ଲିଭାଇ ଦେବା ଉଚ୍ଛ୍ୱାସର ଡଷ୍ଟରରେ। ପ୍ରୀତିକୁ ଖୋଜି ଆଣିବା ସମ୍ପର୍କର ସହରରୁ। ଶାନ୍ତ ସକାଳର ନୀରବତା ମଧ୍ଯରୁ ସାଉଁଟି ଆଣିବା ଆବେଗର ମଣି ମୁକ୍ତାକୁ । ପ୍ରେମ ମହ୍ଲାରର ମ୍ରୁଦୁ ଗୁଞ୍ଜନରେ ବିମୋହିତ ହୋଇ ହଜାଇ ଦେବା ନିଜକୁ। ମମତାର ବେଳାଭୂମି ପରେ ଲେଖିଦେବା ପୂର୍ଣ୍ଣ ଜୀବନର ଇତିହାସ।"


ଦର୍ପଣ ଉପରୁ ଆଖି ଫେରାଇଲେ ସୁଲୋଚନା। ତାକୁ ପାଖରେ ପାଇ ବହୁତ ଖୁସି ହେଉଥିଲେ ସେ। ବିନା ବାକ୍ଯ ବିନିମୟରେ ତାକୁ ସାଥିରେ ନେଇ ଚାଲିଲେ ସେମାନଙ୍କର ସେହି ପ୍ରିୟ ସ୍ଥାନକୁ, ଯେଉଁଠାରୁ ଭାସି ଆସୁଥିଲା ଶାନ୍ତି ଓ ପ୍ରୀତିର ନିରବିଛିନ୍ନ ଶାଶ୍ୱତ ଭାବଧାରା। ସେହି ଭାବଧାରାରେ ପବିତ୍ର ହୋଇଯାଉଥିଲା ତାଙ୍କର ମନ ପ୍ରାଣ। ଚକ୍ଷୁରୁ ବହିଯାଉଥିଲା ଆନନ୍ଦାଶ୍ରୁ। ବହୁ ପ୍ରତୀକ୍ଷିତ ସମୟ ଆଜିି ତାଙ୍କ ହାତ ପାହାନ୍ତାରେ ମିଳି ଯାଇଥିଲା। କାହାକୁ ଧନ୍ଯବାଦ ଦେବେ ସେ? ସମ୍ମୁଖରେ ପ୍ରଭୂ ଚକାଡୋଳାଙ୍କର ଅନିନ୍ଦ୍ୟ ସୁନ୍ଦର ରୂପ ଲାବଣ୍ଯ। ଭାବ ବିହ୍ବଳ ହୋଇ ପଡୁଛନ୍ତି ସେ।


"ମାଆ, ଏତେ ଦିନେ ଆମ କଥା ମନେ ପଡିଲା?" ଆଗରେ ଗୈରିକ ବସନ ଧାରୀ ସାଧୁ ଜଣେ। କ'ଣ କହିବେ? ବାକ୍ଯ ସ୍ଫୁରୁ ନାହିଁ, ସେ ତ ମୂକ ପାଲଟି ଯାଇଛନ୍ତି। ନିଜ ହସ୍ତରେ ଆଖିରୁ ଲୋତକ ପୋଛି ଦେଲେ ସେ। "ଆସ ମାଆ, ଆପଣଙ୍କର କିଛି କହିବା ଦରକାର ନାହିଁ। ଆପଣ ଯଥା ସ୍ଥାନରେ ପହଁଞ୍ଚି ଯାଇଛନ୍ତି। " କହି ହାତ ଧରି ବାଟ କଢାଇ ନେଲେ ସେହି ସୌମ୍ୟକାନ୍ତି ଯୋଗୀ ଜଣକ। ଭାବୁଥିଲେ ସୁଲୋଚନା, ଏମାନେ ଏତେ ନିଜର? ହେଲେ ଯାହାଙ୍କୁ ସେ ନିଜର ଭାବି ସାରା ଜୀବନ ସେମାନଙ୍କ ପାଇଁ ଉତ୍ସର୍ଗ କରିଥିଲା.....

ଆତ୍ମତୃପ୍ତି ଲାଭ କରୁଥିଲେ ସେ, ଜୀବନର ସତ୍ଯକୁ ଅନୁସନ୍ଧାନ କରିପାରିଥିବାରୁ।


Rate this content
Log in

Similar oriya poem from Drama