ଛଦ୍ମ ରାତି
ଛଦ୍ମ ରାତି
ଝିପି ଝିପି ଟୁପୁରୁ ଟୁପୁରୁ ତୁହାକୁ ତୁହା, ବଢୁଛି ବର୍ଷାର ଗତି
ନସର ପସର ଓଦା ସର ସର, କଳା ମନ୍ଥର ଏଇ ରାତି ।
ଭିଜି ଭିଜି ଶିହରି ଶିହରି, ସେ ଯକ୍ଷ୍ମୀ କପୋତୀ
ନିରବରେ ଲୁଚି ଗାଉଛି ଆଜି, ବିରହର ପଂକ୍ତି ।
ଅଶୂଳ ଅଶୂଳ ବର୍ଷାର ଧାରା, ବିକୃତ ଏଇ ରାତି
ଶିଥିଳ ଅଧର ଲିଭୁଛି ଶୃଙ୍ଗାର, କାଳେ ହଜିଛି ତା ପ୍ରୀତି ।
ଦିଶୁନି ସକାଳ ହରାଉଛି ଦମ୍ଭ, ଭାଙ୍ଗୁଛି କପୋତୀ
ଭୂଇଁରେ ବିଲୀନ, ସାଉଁଟୁଛି ପୁରୁଣା ସ୍ମୃତି ।
ମେଘ ମଲ୍ହାରେ, ଭୈରବ ବାସନ୍ତୀ
ନୀଳ ସ୍ବପ୍ନ ମେଳେ କପୋତ କପୋତୀ ।
ଭିଜା ଭିଜା କାକର, ଜୋଛନା ଭରା ରାତି
ମୁକ୍ତ ଆକାଶ ତଳେ, ସେ ଉସ୍ମ ପୀରତି ।
ମନେପଡେ କ୍ଷଣ ସବୁ, ଯାଇଛି ଯେ ବିତି
ଅପେକ୍ଷାର ଅନ୍ତ ନାହିଁ, ଲାଗୁଛି ସରିଲାଣି ସ୍ମୃତି ।
ଗୁମୁରି ଗୁମୁରି ରାଣ ଦେଇ କହେ, ଅଭିମାନୀ କପୋତୀ
ଆଶାରେ ଗୁନ୍ଥା ସ୍ୱପ୍ନରେ ଗଢା ତାର, ପ୍ରଣୟର ପ୍ରତିଶୃତି ।
ମେଘକୁ ଆଢ଼େଇ ସବୁ ବାଧା ଡେଇଁ, ଆସିବ ଶୂନ୍ୟତାର ସାଥି
ରଖିବ କଥା ବାଣ୍ଟିବ ବ୍ୟଥା, ସାଜିବ ସବୁ ବର୍ଷାର ବରସାତୀ ।
ସରିବ ଅପେକ୍ଷାର ବେଳ, ହେବ କ୍ଲାନ୍ତିର ବିରତି
କଅଁଳ ସକାଳେ ମେଲାଇ ଡେଣା, ଉଡିବେ କପୋତ କପୋତୀ।
ଘୁଞ୍ଚିବ ସମୟ ଉଇଁବ କି ଜହ୍ନ, ଫେରିବ ହଜିଲା ଚଇତି
ଋତୁ ପରେ ଋତୁ ପାହାନ୍ତା ପ୍ରହର, ନେଇ ନୂଆ ଅନୁଭୂତି ।
ଝିପି ଝିପି ଟୁପୁରୁ ଟୁପୁରୁ ତୁହାକୁ ତୁହା, ବଢୁଛି ବର୍ଷାର ଗତି
ଆଶାକୁ ସଜାଇ ମନକୁ ବୁଝେଇ, ବାହୁନେ କପୋତୀ ।
ଅଛି ଯଦି ଏଇ ସର୍ଜନାରେ ଶକ୍ତି, ଥମିବ ବର୍ଷା ପାହିବ ଏ ରାତି
ସତ ହେବ ଦିନେ କଳ୍ପନାରେ ଗଢା, ଏହି ଏକ ଛଦ୍ମ ରାତି ।।