STORYMIRROR

Sarmistha Bhuyan

Romance Thriller

3  

Sarmistha Bhuyan

Romance Thriller

ତାତି

ତାତି

3 mins
11.9K

ବସି ବସି ଭାବୁଥିଲି “ତାତି” କଥା ଏଇ ତାତିଲା ବୈଶାଖରେ

କହୁଥିଲେ କହୁଥିବି, “ତାତି” କଥା କହିଲେ ନସରେ ।


ତାତିଛି ସବୁଆଡେ ବୈଶାଖର ପ୍ରଚଣ୍ଡ ତାତିରେ

ଆଜିକାଲି ତାତୁଛି କୁଆଡେ ପଡିଶା ଘର ମିଶ୍ର ବାବୁଙ୍କ ପୁଅ ହୁଁ କଥାରେ

କୈଶୋର ଚାଲିଛି ପୁଣି ରଙ୍ଗ ବଦଳୁଛି

ସମସ୍ତଙ୍କୁ ତତଉଛି ତାର ବୟସର ତାତିରେ 

ତାତି କରି କହନ୍ତି ମିଶ୍ର ବାବୁଙ୍କ ପତ୍ନୀ

ତତାନା ଆଉ ତାତିଛି ମୁଣ୍ଡଟା ମୋର ତୋ ବାପାଙ୍କ ତାତିଲା ମିଜାଜରେ

ସାନ ବି ରଡୁଛି କାଲିଠୁ ଜ୍ୱରର ତାତିରେ

ମିଶ୍ର ବାବୁ ବି କୁଆଡେ ଘଡି ଘଡି ତାତୁଛନ୍ତି

ମଧୁମେହ ଉଚ୍ଚ ରକ୍ତଚାପ ସହ

ଦପ୍ତର ଆଉ ସଂସାରର ଚାପରେ ତାତି ତାତି ରହୁଛନ୍ତି

ଏମିତି ତତା ତତି ତାତିଲା ପାଗରେ

 ଅସି ବର୍ଷ ବୟସ୍କା ମିଶ୍ର ବାବୁଙ୍କ ମା'

ଆସୁ ଆସୁ ବାରମ୍ବାର ଅଟକି ଯାନ୍ତି ଏରୁଣ୍ଡି ବନ୍ଧରେ

କେତେ ରାତି ହେଲାଣି ଦେହଟା ତାତିଛି

ବୟସର ତାତି ବି କମି କମି ଯାଉଛି

କହି ଥାନ୍ତେ ବୋଧେ ଔଷଧ ପାଇଁ ହେଲେ

ଭାବନ୍ତି କହିବି ପରେ ଟିକେ ତାତି ଥମିଲେ

ଅପେକ୍ଷାରେ ରହନ୍ତି ଓଲଟି ଯାନ୍ତି

କହି ପାରନ୍ତିନି ପରିବେଶର ଅସରନ୍ତି ତାତିରେ

ତାତିର ବି ଅନେକ ରଙ୍ଗ

ଆମେ ସବୁ ବନ୍ଧା ଏଇ ବନ୍ଧନର ତାତିରେ

କହୁଥିଲେ କହୁଥିବି, “ତାତି” କଥା କହିଲେ ନସରେ ।


ଏଇ ଶନିବାର ଅପରାହ୍ମେ ଅତିରିକ୍ତ ତାତି ପରେ

ବେଶ କରି ବର୍ଷୀଗଲା ଅଶୂଳ ଅଶୂଳ ବର୍ଷା ର ଧାରା

ଭିଜା ଭିଜା ମନରେ ଅଳ୍ପ ହସି ଭାବୁଥିଲି

ମିଳନ୍ତା କି ତତଲା ପକୁଡି ଆଉ ଟିକେ ତାତିଲା ଚାହା

ତାତିଲା ଚାହାରୁ ମନେପଡେ ସେଦିନର କଥା ସବୁ

ଅସରନ୍ତି ସମୟ ଆଉ ଥିଲା ବୟସର ତାତି

ଚାହା ର ତାତି ର ମଧ୍ୟେ ସାଙ୍ଗ ମେଳେ ରାତି ରାତି

ହଁକା ହଁକି ମତା ମତି

ଚର୍ଚା ର ଆଢୁଆଳେ କ୍ଷଣେ କ୍ଷଣେ ତତା ତତି

ସେ ଦିନର ଚର୍ଚା ଆଉ ଚାହା ର ଆସର

କେମିତି ଭୁଲିବି ଗ୍ରୀଷ୍ମ ଛୁଟିରେ ମାଇଁଙ୍କ ସହ

ଗପ ସାପ ଆଉ ତାଙ୍କ ତାତିଲା ରନ୍ଧା ଘର

ସେ ଆଜବେଷ୍ଟ ର ତାତି ରେ ତାତି ତାତି ସବୁ ଦିନ ରାନ୍ଧୁଥାନ୍ତି

ଆମ ପାଇଁ ଚାରି ବକ୍ତ ର ରାଜକୀୟ ବ୍ୟଞ୍ଜନ

ତାତି ରେ ଅବା ମିଳୁଥିବା କେମିତି ତୃପ୍ତି? ବୁଝି ହୁଏନା

ମା କହନ୍ତି ସେ କୁଆଡେ ସବୁ ତାତି

ତୁଚ୍ଛ କରି ବାନ୍ଧିଥିଲେ ସଂସାରର ତାତିରେ

ଅଳ୍ପ ତାତିଲା ବୟସରେ

ଇଛା ହୁଏ ଜାଣିବାକୁ ପଶ୍ଚାତପରେ

ସେ କଣ ତାତି ନଥିବେ ଅନ୍ତରେ ଅନ୍ତରେ?

ତାତିରେ ଯୋଡ଼ିଛି ଅନେକ ଗାଥା କିଛି ଅଭୁଲା କଥା

ଜୀବନ ଟା ରଙ୍ଗ ମାୟା ଏମିତି ଖଟା ମିଠା ତାତି ରେ

କହୁଥିଲେ କହୁଥିବି, “ତାତି” କଥା କହିଲେ ନସରେ ।


ଏମିତି କିଛି ତାତିଲା ଦିପହରେ ଶୁଣିଥିଲି ଗପ ସବୁ ଦାଣ୍ଡ ବାହାରେ

ଆମେ ସବୁ କାଳେ ସୃଷ୍ଟି ହେଲୁ ଯେବେ ଆଦମ ତାତିଲେ ଇଭଙ୍କ ତାତିରେ

ତାଜମହଲ ବି ବୋଧେ ଆଜି ନଥାନ୍ତା

ଯଦି ସାହାଜାହାନ ତାତି ନଥାନ୍ତେ ମୁମତାଜ ଙ୍କ ପ୍ରୀତି ରେ

ଆଜିବି ଗୁଲାମ ଥାନ୍ତୁ ଆମେ ସବୁ ଯଦି ଗାନ୍ଧୀ ଭଗତ ସିଂ

ମାତି ନଥାନ୍ତେ ଇଂରେଜ ଙ୍କ ଜୁଲମ ର ତାତିରେ

ତାତି ଉଠେ ଯେବେ ଶୁଣେ ମାମୁଦ ଭଳି ଖଣ୍ଟ ମାନେ

ଲୁଟିନେଲେ ଆମ ଦେଶ ତାଙ୍କ ଗୁପ୍ତ ଚକ୍ରାନ୍ତ ରେ

ହେଲେ ଆଜି ଲାଗେ ମାମୁଦ ତ କିଛି ନୁହ ଯେବେ ଭାବେ

ବୈଶାଖ ର ତାତି ଭଳି ହୁ ହୁ ବଢି ଚାଲିଛି ଅପକର୍ମ ମୋ ଦେଶରେ

ମାମୁଦ ଠୁ ଭୟଙ୍କର ଜଲହାଦ ଙ୍କ ତାତି ରେ

ରକ୍ତ ସବୁ ତାତି ଉଠେ ଯେବେ ପ୍ରତିଦିନ ଖବର ଆସେ

କେତେ କେତେ ନିର୍ଭୟା ଙ୍କ ଅସ୍ତିତ୍ୟ ଲୁଣ୍ଠନ ହେବାର

ସେଇ ଘୃନ୍ୟ ନର ରାକ୍ଷସ ର ମିଥ୍ୟା ଅହଂକାର ର ତାତି ରେ

ତାତି ର ଏଇ ରୂପ ଭାରି ଭୟଙ୍କର

ଭସ୍ମ ହୁଏ କେତେ ସ୍ବପ୍ନ କେତେ ଜୀବନ ସେଇ କ୍ଷଣିକ ତାତିରେ

କହୁଥିଲେ କହୁଥିବି, “ତାତି” କଥା କହିଲେ ନସରେ ।


ଝାଂଜି ପବନର ଗତିରେ ଏଇ ତାର ଭରା ରାତିରେ

ଆଜି ପୁଣି “ତାତି” କଥା ଭାବୁଛି

ଜୀବନ ର ଭିନ୍ନ ଭିନ୍ନ ତାତ ରେ ମୁ ବି ତ ତାତିଛି

ଥରେ ନୁହଁ ବାରମ୍ବାର ତାତିଛି

ସ୍ବପ୍ନ ର ଜନ୍ମ ଆଉ ମୃତ୍ୟୁ ଉଭୟ ଦେଖିଛି

ହାସଲ କରିବାର ତାତି ରେ ବି ମାତିଛି

କେବେ ହାରିଛି କେବେ ଜିତିଛି

ତାତି ର ଚାପରେ ସଂକୁଚିତ ହୋଇଛି

ପୁଣି କେବେ ତାତି ର ପରିସୀମା ଉଲଙ୍ଘଇ ସ୍ବପ୍ନ ସତ ବି କରିଛି

ପ୍ରୀତି ର ପରିଧି ରେ ଝୁମି ଝୁମି ଗାଇଛି

କେବେ ପୁଣି ବିରହ ର ତାତି ରେ ରାତି ରାତି ତିଂତିଛି

ତାତି ର ଅନେକ ସ୍ୱାଦ ଭିନ୍ନ ଅନୁଭୂତି

ଜୀବନର ଅଭିଜ୍ଞାତା ଏମିତି ଅନେକ ତାତି ର ତାତରେ

କହୁଥିଲେ କହୁଥିବି, “ତାତି” କଥା କହିଲେ ନସରେ ।


“ତାତି” କଥା ଆଜି ଏତିକି ରେ ରଖିବି

ବାକି ଯାହା ରହିଗଲା ନିଶ୍ଚୟ କହିବି ଅନ୍ୟ ଏକ ତାତିଲା ବୈଶାଖରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance