ଅସମଂଜସ
ଅସମଂଜସ
ଅପହଞ୍ଚ ଦୂରେ, ଆଖି ଆଢୁଆଳେ,
ହୃଦୟ କତିରେ ରହି,
ନିଆରା ବନ୍ଧନ ବାନ୍ଧି ହୁଏନିକି
ତୁଟେଇବି ହୁଏନାହିଁ । [୧]
ମନ ସିନ୍ଧୁକରେ ହୃଦ ଫରୁଆରେ
ଯତନେ ସାଇତା ହୋଇ,
ମରମର କଥା କହି ହୁଏନିକି
ନକହି ହୁଏନା ରହି । [୨]
ସେନେହ ବିଶ୍ୱାସ ଅଷାଢୁଆ ସୂତା
ଗାଢେ ଗଲେ ବାନ୍ଧି ହୋଇ,
ଛଳନା କଇଁଚି ଚିରି ବିଦାରିଲେ
ଦାଗ ଲିଭି, ଲିଭେ ନାହିଁ । [୩]
କଣ୍ଟା ଝଣ୍ଟା ଭରା ଅମଡା ବାଟରେ
ପାଦ ଦେଲେ ଥରେ ଥୋଇ,
ପଛେଇ ଯିବାକୁ ବୁଦ୍ଧି ହଜିଯାଏ
ଆଗେଇବି ହୁଏ ନାହିଁ । [୪]
ନୁହେଁ ମରିଚୀକା ନୁହେଁ ମୃଗତୃଷ୍ଣା
ବାସତବ ରୂପ ଛାଇ,
ଆଶାର କୁସୁମ ତୋଳି ହୁଏନିକି
ନପାଇ ହୁଏନା ଜୀଇଁ । [୫]
ପିଆସ ଆକୁଳେ ମରୁ ପଥିକଟି
ମରିଚୀକା ପଛେ ଧାଇଁ ,
ଅବଶ ଶରୀରେ ଧାଇଁ ହୁଏନିକି
ନଧାଇଁ ହୁଏନା ରହି । [୬]
ଆଶା ନିରାଶାର ଦୋଛକି ଜୀବନେ
ହତାଶାର କଳା ଛାଇ,
ଅଲୋଡା ଆଖୋଜା ଜୀଇଁ ହୁଏନିକି
ପ୍ରାଣ ଦେଇ ହୁଏନାହିଁ । [୭]
ଜନମ ମରଣ ରହସ୍ୟର ଭେଦ
କିଏ ବା ବୁଝିଛି କାହିଁ ?
ମରଣ ଦୁଆରେ ମଣିଷ ଚିନ୍ତଇ
ଅମରତ୍ୱ ଯିବ ପାଇ। [୮]

