ଶ୍ରେଷ୍ଠ ଉପଢୌକନ
ଶ୍ରେଷ୍ଠ ଉପଢୌକନ


ତୁମ ସମ୍ଭ୍ରାନ୍ତ ପଣିଆକୁ
ଜାହିର କରିବା ପାଇଁ
ଯାଚ ନାହିଁ ଉପଢୌକନର ବାକ୍ସ
ଚାହେଁ ନାହିଁ ନଭଶ୍ଚୁମ୍ଭୀ
ଅଳକାପୁରୀର ନିବାସ
ଦାମୀ ଆଭୂଷଣ ଅବା
ଆଉ କିଛି ବ୍ୟସନ-ବିଳାସ।
ଆଣିଦିଅ ମୋ ପାଇଁକି
ଟଂଗଷ୍ଟେନ୍ ତାର ପରି
ଅଟଳ ଓ ଅତୁଟ ବିଶ୍ୱାସ
ଛଳନା ଓ କପଟତା ରହିତ ସେ
ଚିରୁଡାଏ ସୁନିର୍ମଳ ମନଖୋଲା ହସ;
ଯେଉଁ ଥିରୁ ପଢ଼ି ହେଉଥିବ ତୁମ
ତମାମ ହୃଦୟ।
ବାର ମାସ ଛଅ ଋତୁ ପରି
ବଦଳି ଯାଉନଥିବା
ହୃଦୟର ସିଂହାସନେ ତୁମ,
ଅଧିଷ୍ଠିତା ହେବା ସୌଭାଗ୍ୟର
ଇପ୍ସିତା ମୁଁ ଚିର କାଳ ।
ଲୋଡେ ଖାଲି
ମୋର ସନ୍ତାପିତ ପ୍ରାଣଟିକୁ
ଶୀତଳେଇ ଦେଉଥିବା
ପଦେ ମିଠା କଥା
ଟିକିଏ ଶରଧା
ଆଉ ଚେନାଏ ଭରସା ମିଶା
କାଣିଚାଏ ସ୍ପର୍ଶ।
ଅଭିମାନ ଆଉ ମନସ୍ତାପର ସେ
କୁଢ଼ କୁଢ଼ ପାଉଁଶ ଗଦାର ତଳୁ
ସରାଗେ ସାଉଁଟି ଆଣି ମୋର
ଦରମରା ଅସ୍ତିତ୍ବକୁ,
ସଜେଇ ଦିଅ ତୁମରି
ଇଷ୍ଟ ଦେବଂକ ଆଳତିଦାନୀରେ।
କରିନିଅ ସେତିକି ନିଜର;
ମୁଁ ଯେମିତି ଦେଖି ପାରେ
ମୋ ଜୀବନର ପ୍ରଥମ ସୁପୁରଷ,
ମୋ ପିତାଙ୍କର ପ୍ରତିଛବି ତୁମରି ଆଖିରେ।
ସେତିକି ହିଁ ମୋ ପାଇଁକି
ତୁମ ଦତ୍ତ ସମୁଚିତ ସମ୍ମାନ
ଆଉ ଶ୍ରେଷ୍ଠ ଉପଢୌକନ।