STORYMIRROR

Anita Dash

Romance Tragedy

4  

Anita Dash

Romance Tragedy

ଶ୍ରେଷ୍ଠ ଉପଢୌକନ

ଶ୍ରେଷ୍ଠ ଉପଢୌକନ

1 min
415

ତୁମ ସମ୍ଭ୍ରାନ୍ତ ପଣିଆକୁ

ଜାହିର କରିବା ପାଇଁ

ଯାଚ ନାହିଁ ଉପଢୌକନର ବାକ୍ସ

ଚାହେଁ ନାହିଁ ନଭଶ୍ଚୁମ୍ଭୀ 

ଅଳକାପୁରୀର ନିବାସ

ଦାମୀ ଆଭୂଷଣ ଅବା

ଆଉ କିଛି ବ୍ୟସନ-ବିଳାସ।


ଆଣିଦିଅ ମୋ ପାଇଁକି

ଟଂଗଷ୍ଟେନ୍ ତାର ପରି

ଅଟଳ ଓ ଅତୁଟ ବିଶ୍ୱାସ

ଛଳନା ଓ କପଟତା ରହିତ ସେ

ଚିରୁଡାଏ ସୁନିର୍ମଳ ମନଖୋଲା ହସ;

ଯେଉଁ ଥିରୁ ପଢ଼ି ହେଉଥିବ ତୁମ

ତମାମ ହୃଦୟ।


ବାର ମାସ ଛଅ ଋତୁ ପରି

ବଦଳି ଯାଉନଥିବା

ହୃଦୟର ସିଂହାସନେ ତୁମ,

ଅଧିଷ୍ଠିତା ହେବା ସୌଭାଗ୍ୟର

ଇପ୍ସିତା ମୁଁ ଚିର କାଳ ।


ଲୋଡେ ଖାଲି

ମୋର ସନ୍ତାପିତ ପ୍ରାଣଟିକୁ

ଶୀତଳେଇ ଦେଉଥିବା

ପଦେ ମିଠା କଥା

ଟିକିଏ ଶରଧା

ଆଉ ଚେନାଏ ଭରସା ମିଶା

କାଣିଚାଏ ସ୍ପର୍ଶ।


ଅଭିମାନ ଆଉ ମନସ୍ତାପର ସେ

କୁଢ଼ କୁଢ଼ ପାଉଁଶ ଗଦାର ତଳୁ

ସରାଗେ ସାଉଁଟି ଆଣି ମୋର

ଦରମରା ଅସ୍ତିତ୍ବକୁ,

ସଜେଇ ଦିଅ ତୁମରି

ଇଷ୍ଟ ଦେବଂକ ଆଳତିଦାନୀରେ।


କରିନିଅ ସେତିକି ନିଜର;

ମୁଁ ଯେମିତି ଦେଖି ପାରେ

ମୋ ଜୀବନର ପ୍ରଥମ ସୁପୁରଷ,

ମୋ ପିତାଙ୍କର ପ୍ରତିଛବି ତୁମରି ଆଖିରେ।

ସେତିକି ହିଁ ମୋ ପାଇଁକି

ତୁମ ଦତ୍ତ ସମୁଚିତ ସମ୍ମାନ

ଆଉ ଶ୍ରେଷ୍ଠ ଉପଢୌକନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance