ପ୍ରିୟା ମୋର
ପ୍ରିୟା ମୋର
ତୁମେ ଆସିଲ
ଚହଟି ଗଲ ବର୍ଷି ଗଲ
ନଈଟିଏ ହୋଇ ନିସର୍ତ୍ତ ବହି ଚାଲିଲ
ମୋ ଦୁଇ କୂଳେ ସବୁଜିମା ଭରି
କଦମ୍ବ ଫୁଟାଇ
ଅଜଣା ଏକ ବଂଶୀ ଦେହେ ସାତ ସୁର ଭରି ।
ତୁମ ଆଗମନେ
ସ୍ଥିର ହୁଏ ଋତୁଚକ୍ର
ଚାରିଆଡେ ଫୁଲ ଉପବନ
ନାହିଁ ଏଠି ନିଦାଘର ତାତି
ଫୁଲେ ଫୁଲେ ପ୍ରୀତି ପ୍ରଜାପତି
ସବୁ ରାତି ଜହ୍ନ ରାତି ଏଠି
ସେ ଜୋଛନାରେ ସିକ୍ତ ହୋଇ ରଚେ ପ୍ରେମଗୀତି ।
ଅସଜଡା ନୀଡ଼ ମୋର
ଦୋହଲୁ ଥାଏ ସମୟ ଦୋଳିରେ
ତୁମେ ଆସି ବସି ଗଲାପରେ
ମୁହଁ ଫେରାଇ ନେଇଛି ବତାସ
ନୀଡ଼ ନୁହେଁ ନାଆଟିଏ ଏବେ
ଢେଉ ସାଥେ ସାଥୀ ହୋଇ
ଭାସୁଅଛି ଦେଖ ପ୍ରେମ ପାରାବାରେ ।
କେବେ କେବେ
ସେହି ପ୍ରେମ ପାରାବାରେ
ମୁଁ ଦିଗ ହରା ନାବିକଟେ
ତୁମେ ସ୍ଥିର ସ୍ଥିତପ୍ରଜ୍ଞ
ଜ୍ଯୋତିର୍ମୟୀ ଧ୍ରୁବ ତାରା ସମ
ତୁମରି ସାନ୍ନିଧ୍ୟ ପାଇ
ଲକ୍ଷ୍ୟ ମୋର ହୋଇଯାଏ
ଅଚିରେ ସମ୍ପୂର୍ଣ୍ଣ ।