STORYMIRROR

Laxminarayan Sahoo

Classics

4  

Laxminarayan Sahoo

Classics

ମୁଁ ଗାଆଁରେ ଅଛି

ମୁଁ ଗାଆଁରେ ଅଛି

1 min
185

ଘଟ ବଦଳୁଥାଏ ସିନା ବ୍ରହ୍ମ ବଦଳେ ନାହିଁଁ

ଖୋଳ ପଛେ ବଦଳି ଯାଏ

ହେଲେ ଆଗ ପରି ଖେଳ ଚାଲିଥାଏ ।


ମୁଁ ଗାଁ କଥା କହୁଛି

ରାସ୍ତାକଡ 

ସ୍କୁଲ ପାଖ 

ସହର ସହର ଲାଗୁଥାଏ ସିନା

ମୋ ଗାଁ ଆଗରୁ ଯେମିତି ଥିଲା

ଠିକ୍ ସେହିପରି ଅଛି ।


 ଗାଁ ମୁଣ୍ଡ ନାରାୟଣୀ ସେମିତି ସିନ୍ଦୂର ବୋଳା

ମାହେଶ୍ଵରୀ ପୀଠ

ଭକ୍ତି ଓ ବିଶ୍ବାସର ଛତି ଛତ୍ର ଭରା ।


 ଭାଗବତ ଟୁଙ୍ଗିରେ ଜଳି ଆସୁଛି ସଂଜ ଆଳତି

ଚର୍ଚ୍ଚା ହେଉଛି ରାମଝିଅ ବାହାଘର

ଗାଁ ପିଲାଙ୍କ ମ୍ୟାଟ୍ରିକ ପ୍ଲସଟୁ ପରୀକ୍ଷା ଫଳ

ଏମିତି ଏମିତି ସେଠି ନିତି ଛପା ହୁଏ

ଗାଁ ଯାକର ଖବର ।


 ହଁ ଭାଗବତ ଟୁଙ୍ଗି ଆଉ ମାଟି ଛପର ହୋଇ ରହି ନାହିଁ

ଏବେ ପକ୍କା ଘର 

ମାର୍ବଲ ଚଟାଣ

ସେ ଚଟାଣରେ ସେ କାଳର ଭାଗବତ ଖଟୁଳି

କେବେ ଯଦି ପୂଜାରୀ ନଥିବେ

ଅବଶ୍ୟ ୟୁଟ୍ୟୁବରେ ବାଜି ଉଠେ

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

ପଦୁ ଗଳୁଛି ମକରନ୍ଦ ।


 ଗାଁ ଚାରିପଟେ ଶସ୍ୟ ଶ୍ଯାମଳ

ହଳିଆ ଗୀତର ତାଳେ

ବଳଦ ଆଉ ସିନା ଟାଣୁ ନାହିଁ ନଙ୍ଗଳ

ହେଲେ ବି ସେ ମାଟିର ଗନ୍ଧ ଆକର୍ଷୁ ଥାଏ

ଭାଗରେ ଜମି ଲଗାଇ ଦେଇଥିବା ଚଷାର ହୃଦୟ

ସହରରେ ରହି ଯାଉଥିବା ଚାକିରିଆ ପୁଅର

ମାସ ଶେଷର ବ୍ଯୟ ଅଟକଳ ।


 ଆଜିକାଲି ଖାଲି ଭାତରେ ଆଉ ପୁରୁ ନାହିଁ ପେଟ

ଟଙ୍କା କିଆ ଚାଉଳ

ଆଉ ଯେତେ ସବୁ ସରକାରଙ୍କ ଯୋଜନା

ଯାବତୀୟ ଭୋକକୁ ନିଅଣ୍ଟ ।


 ଆଗପରି ମୁହଁରେ ରଙ୍ଗ ମାଖି

ନଚନିଆ ଗୀତ ଗାଇ ଗାଁ ଦାଣ୍ଡରେ

ନାଚ କରିବା ଛାଡି ଦେଇ

ବୁଧୁ ଓ ଶିବ ମାନେ ରାସ୍ତା କଡ଼ରେ

ବରା କି ଅଣ୍ଡା ଦୋକାନ ଖୋଲିଛନ୍ତି ସିନା

ଗର୍ହାକ ଦେଖିଲେ ସଉଦା କମ

ପେଡ଼ି ଖୋଲି ଗୀତ ପରସି ଦେବାକୁ

ଭୁଲନ୍ତିନି ଜମା ।


 ଶୁଣିବି ଦେଖିବି ବୋଲି

କେଉଁ କାଳୁ ଉଭା ଗାଁ ମୁଣ୍ଡ ବୁଢ଼ା ବରଗଛ

କହିପାରନ୍ତା ଯଦି

ପଚାରିଲେ କହନ୍ତା

ହାତ ଠାରି ଦେଖାଇ ଦିଅନ୍ତା

ଯେଉଁଠି ଏ ଗାଁ'ବାଲାଙ୍କ ଶେଷ ନିଆଁ ଜଳେ

ସେଠି କେମିତି ସଭିଏଁ ଏକାକାର ହୋଇ ଯାଆନ୍ତି

ଲୁହ ଟୋପେ କାଠ ଖଣ୍ଡେ ଧରି

ଗୋଟିଏ ମାଆ ପେଟର ଛୁଆ ପରି

ଅର୍ଘ୍ୟ ଢାଳି ଦିଅନ୍ତି ।


 ଠିକ୍ ସେଇଠି ହିଁ ତ ଗାଆଁର ଆତ୍ମା ଲୁଚିଛି

ଆଉ ମୁଁ ସେଇ ଗାଆଁରେ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics