STORYMIRROR

Pranati Panda

Classics Others

5  

Pranati Panda

Classics Others

ଉତ୍ସର୍ଗୀକୃତ ଅଭିବ୍ୟକ୍ତି

ଉତ୍ସର୍ଗୀକୃତ ଅଭିବ୍ୟକ୍ତି

1 min
390

ଊଚ୍ଚାରଣେ ଆଉ ଆଚରଣେ ମଧ୍ୟେ 

ଅନେକ ପାର୍ଥକ୍ୟ ରହିଛି ଏଠି ,

ନୀତି ଆଦର୍ଶର କରତାଳି ମାଡେ

ମୁଖା ପିନ୍ଧା ଲୋକ ପ୍ରାୟ ସବୁଠି ।୧।


ଅଗଣିତ ସଭା ସମିତି ମଧ୍ୟରେ

ଚାଟୁକାରି କଥା କେତେ କୁହନ୍ତି ,

ନେତା ଠାରୁ ଅଭିନେତା ଯାଏଁ ପରା

କୁମ୍ଭୀର କାନ୍ଦଣା କେତେ କାନ୍ଦନ୍ତି ।୨।


ନିଶା ମୁକ୍ତ ଦେଶ ଶପଥ ନାମରେ

ବିଦେଶୀ ମଦରେ ଭାସି ଯାଆନ୍ତି ,

ଶିକ୍ଷା ସ୍ବାସ୍ଥ୍ୟ କଥା କିଏବା ପଚାରେ

ଗରିବ ଧନକୁ ଲୁଟି ଖାଆନ୍ତି ।୩।


କାଗଜ କାଳିରେ ଯୋଜନା ସୀମିତ

ତେଲିଆଙ୍କ ମୁଣ୍ଡେ ତେଲ ଢାଳନ୍ତି,

ପାରିବା ପଣିଆ ଶୁନ ଥାଉ ପଛେ

ପରିଭାଷା ଶଦ୍ଦ ବଡ କୁହନ୍ତି ।୪।


ନାରୀ ସୁରକ୍ଷାର କେତେ'ଯେ ଆଇନ୍

କେଇଟା ନାରୀଙ୍କୁ ନ୍ୟାୟ ମିଳଇ ?

ନିତି ପ୍ରତିଦିନ ଦୁଷ୍କର୍ମ ପିଡାରେ

କୋମଳ କଳିକା ମରି ଶୁଅଇ ।୫।


କଳା ଟଙ୍କା ଆଉ ନୋଟର ବିଡାରେ

କେତେ ଶକ୍ତି ଅଛି ପରା ଦେଖାନ୍ତି ,

ଗାଆଁଠୁଁ ସହର କଳୁଷିତ ମୁକ୍ତ

ବୋଲି ପ୍ରଚାରିତ ନିଜେ କରନ୍ତି ।୬।


ମନ'ତ କଳୁଷ ମୁକ୍ତ ହୋଇନାହିଁ

ସ୍ଵଚ୍ଛତା ଝଲସି ଉଠିବ କିଆଁ,

ଦୁର୍ନୀତି ରାକ୍ଷସ ଅଟ୍ଟହାସ୍ୟ କରେ

ଦହକି ଉଠଇ ସ୍ଵାର୍ଥର ନିଆଁ ।୭।


ଧନୀ ଚଳିଯାଏ ଖୁସି ଖୁସି ଆଜି

ଗରିବ ବିଚରା ରହେ ଅଛୁଆଁ ,

ରାମ ରାଜ୍ୟ ସ୍ୱପ୍ନ ବହୁ ଦୂରେ ଆଜି

ବୁଢିଆଣୀ ସମ ମାୟା ଦୁନିଆଁ ।୮।


ବର୍ଷ ଯାଉଥିବ ବର୍ଷ ଆସୁଥିବ

ଏଟାତ ସମୟ ଚକ୍ରର କଥା ,

ଅନ୍ୟର ଚେରକୁ ନ'କାଟି ସଶକ୍ତେ

ଗର୍ବରେ ଜିଇଁବା ଉଠାଇ ମଥା ।୯।


ମାଆ ମାଟି ସୂର୍ଯ୍ୟ ଆଉ ଗଛ ମାନେ

ଯେପରି ଜିଅନ୍ତି ନିଜ ଜୀବନ ,

ହିଂସା, ଦ୍ୱେଷ, ଘୃଣା, ଅନୀତି, ଦୁର୍ନୀତି

ତ୍ୟାଗରେ ସାର୍ଥକ ହେବା ମହାନ ।୧୦।


ଉଚ୍ଚାରଣ, ଆଉ ଆଚରଣେ ଯଦି

ନିଜେହିଁ କରିବା ଅନୁଶୀଳନ ,

ଦୁନିଆଁ କୁ ନୂଆ ବାର୍ତ୍ତା ଟିଏ ଦେଇ

ଶାନ୍ତିରେ କାଟିବା ଆମ ଜୀବନ।୧୧।

     

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics