ପୁଣିଥରେ ଆରମ୍ଭିବା
ପୁଣିଥରେ ଆରମ୍ଭିବା
ଚାଲ ପୁଣିଥରେ ଆରମ୍ଭିବା
ମନେ ପକାଇବା ସେଦିନର ପ୍ରଥମ ସକାଳ
ଶୀତଳ ଅରୁଣିମାର କଅଁଳ ଛୁଆଁରେ
ରୋମାଞ୍ଚିତ ହେବା
ପଦୁଅଁ ପତରର ଢଳ ଢଳ ପାଣିରେ
ପୁଣିଥରେ ନାଆ ମେଲି ଦେବା ।
ତୁମର ମୋର ବିତି ଥିବା
ପ୍ରତିଟି ଦିନ ପ୍ରତିଟି ମୂହୁର୍ତ୍ତ ଦୋହରାଇବା
ଜହ୍ନ ରାତି ସବୁକୁ ନେଇ କବିତା ଲେଖିବା
ଡେଣା ବାନ୍ଧି ସମୟର ପ୍ରତିକୂଳେ
ଉଡ଼ି ଯିବା ଚାଲ
ନୂଆ ନୀଡ଼ଟେ ବାନ୍ଧିବା ।
ସେଦିନର ସେ ବେଦମନ୍ତ୍ର ଉଚ୍ଚାରଣ
ବାହା ବେଦିର ହୋମାଗ୍ନି
ଗୁରୁଜନ ଆଶୀର୍ବାଦ
ସାତ ଫେରା ହାତଗଣ୍ଠି
ଅଳ୍ପ ଅଳ୍ପ ଦିଶୁଥିବା ନିଷ୍ପାପ ଭବିଷ୍ୟକୁ ନେଇ
ଏକ ଦୀର୍ଘ ଯାତ୍ରା ପାଇଁ
ପ୍ରସ୍ତୁତି କରିବା ଚାଲ ।
ଓଢ଼ଣା ତଳୁ ଦୁଇଟି ନୀରିହ ଆଖି
ଦେଖୁଥିବ ଚିହ୍ନା ଚିହ୍ନା ଲାଗୁଥିବା
ଅଚିହ୍ନା ତା' ଜୀବନ ସାଥୀକୁ
ଆଉ ଏ ଅନଭିଜ୍ଞ ଗୃହସ୍ଥ
ସେ ଚାହାଣିର ଥଳ କୂଳ ମାରିବାରେ ଅସମର୍ଥ ହୋଇ
ସେଥିରେ ବିଲିନ ହୋଇଯାଉଥିବ
ଏକ ପରମ ପ୍ରାପ୍ତିର ତୃପ୍ତିରେ
ଭାରି ସୁଖଦ ନା ସେ ସାୟଂକାଳ
ଚାଲ ଚାଲ ପୁଣିଥରେ ଆରମ୍ଭିବା ।।