ଚିଠି
ଚିଠି


ଆରେ ମୋର ଧନ ଦେଖେ ମୁଁ ସପନ
ଦେଶ ପ୍ରାନ୍ତେ ଚାଲେ ରଣ
ସେଥିପାଇଁ ଆଜି ଏହି ପତ୍ର ଲେଖେ
ବୁଝିବୁ ମାଆର ମନ ।
ଏ ମାଟିର ତୁହି ବୀର ସୁସନ୍ତାନ
ଦେଶ ରକ୍ଷା ଭାର ହାତେ
ପାଳନ କରିବୁ କର୍ତ୍ତବ୍ୟ ତୋହର
ଦିନ ହେଉ କିବା ରାତେ ।
କୋଟି କୋଟି ଜନ ନିଶ୍ଚିନ୍ତ ମନରେ
ନିଦ୍ରା ଯାନ୍ତି ରାତ୍ରୀ କୋଳେ
ଏକା ମା' ତୋର ପଥ ଚାହିଁ ଅଛି
ଜଳି ଜଳି ଚିନ୍ତାନଳେ ।
ଭୀରୁ ହୋଇ କେବେ ପଛ ଘୁଂଚା ଦେଇ
ଫେରିବୁନି ମୋର ପାଶେ
ହୃଦୟେ ରଖିବୁ ତୁହି ଭାରତୀୟ
ତା ପାଣି ପବନ ଶ୍ଵାସେ ।
ଗର୍ବ ହାର ପିନ୍ଧେ ମୁଁ ଯେ ବୀରମାତା
ତୁହି ମୋ ଅମର ପୁତ୍ର
ତୋ କୀର୍ତ୍ତିରେ ମୁହିଁ ସରଗ ଯିବିରେ
ତୁହି ମୋର ପୁଣ୍ୟ ପାତ୍ର ।
ଚିଠିର ମହତ୍ତ୍ଵ ବୁଝିବୁ ବାବୁରେ
ଆଜି ନାହିଁ ତା'ର ମୂଲ୍ୟ
ବିଜୟ ଉଲ୍ଲାସ ପାଳିବା ବାବୁରେ
ସକଳ ରହନ୍ତୁ ଭଲ ।