ତୁମେ...ମୁଁ
ତୁମେ...ମୁଁ
ତୁମେ ରାଗ ମହ୍ଲାର ସ୍ୱପ୍ନିଳ ଆଲେଖ୍ୟ
ପ୍ରତ୍ୟୟ ର ପୂର୍ବାଭାଷ,
ମୁଁ ବେସୁରା ରାଗିଣୀ ଛିନ୍ନବୀଣା ତାର
ଭଗ୍ନସ୍ତୁପ ଅବଶେଷ ।
ତୁମେ ବହୁପ୍ରତୀକ୍ଷିତ ସ୍ବପ୍ନ ବଣିକ
ମୃଦୁ ମଳୟ ପରଶ,
ମୁଁ ଝରାଫଗୁଣର ବିଦୀର୍ଣ୍ଣ ବସନ୍ତ
ସମୟର ପରିହାସ ।
ତୁମେ ପୁର୍ଣ୍ଣଚନ୍ଦ୍ରର ଜୁଆରିତ ଜ୍ୟୋତ୍ସ୍ନା
ସାଙ୍କେତିକ ପରିଭାଷା,
ମୁଁ ଅସୁମାରୀ ଆଶା ଅବଶୋଷ ଭରା
ଯନ୍ତ୍ରଣାର ମୁକ ଭାଷା ।
ତୁମେ ଅୟୁତ ଆଶାର ମଧୁ ଆଳାପ
ଅନୁରାଗ ଭରା ପ୍ରୀତି,
ମୁଁ କ୍ଷୀଣ ଅନ୍ତଃସ୍
ବର ସମୟ ସ୍ରୋତରେ
ନିରବିତ ପ୍ରତିଶ୍ରୁତି ।
ତୁମେ ନୀଳ ଆକାଶର ପୂର୍ଣ୍ଣମୀ ଚାନ୍ଦ
ବିଶ୍ବାସର ସ୍ୱାଭିମାନ,
ମୁଁ ପାହାନ୍ତି ପ୍ରହର ଅଳିକ ସ୍ବପ୍ନ
ବିସ୍ମୃତିର ବ୍ୟବଧାନ ।
ତୁମେ ପୁର୍ଣ୍ଣ ପାଣ୍ଡୁଲିପି ମଧୁର ଭାଷା
ରୂପ ରାଇଜ ର କଥା,
ମୁଁ ଅସମ୍ପୂର୍ଣ୍ଣ କାବ୍ୟ ଅନୁଢ଼ା କବିତା
ସ୍ମୃତିରେ ରହିଛି ବ୍ୟଥା ।
ତୁମେ ଆଶାର ଆଲୋକ ସ୍ୱଚ୍ଛ ଉଜ୍ବଳ
ପ୍ରଜ୍ଵଳିତ ଅଗ୍ନି ଶିଖା,
ମୁଁ ନିର୍ଜନ କାନନେ ନୀଳ ଝରଣା ଟେ
ଅଣଦେଖା ଉପତ୍ୟକା ।