ବର୍ଷା ଓ ତୁମ ସ୍ମୃତି
ବର୍ଷା ଓ ତୁମ ସ୍ମୃତି
ବର୍ଷା ହିଁ ତ ସଖୀ କବିତାର ଋତୁ
ହୃଦୟରେ ଜାଳେ ନିଆଁ
ଝରକା ସେପାଖେ ବର୍ଷା ବର୍ଷୁଥାଏ
ଏପାଖେ ସ୍ମୃତି ଦୁନିଆଁ I
ଆଖିତଳେ ସ୍ମୃତି ଚେଇଁ ଉଠେ ସଖୀ
ତୁମେ ପଡିଗଲେ ମନେ
ସୁନା ସୁନା ସେଇ ପୁରୁଣା ଦିନ ଲୋ
ଅନୁଭବି ଥିଲେ ଦିନେ I
ଝଡି ପଡୁଛି ଲୋ ଗଛରୁ ପତର
ଜହ୍ନକୁ ଢାଙ୍କିଛି ମେଘ
ମନେପଡେ ତୁମ କେତେ ଆଡଋଷା
ଅଭିମାନ ଭରା ରାଗ I
ମିଛେଇଟିଏ ଲୋ ଥିଲ ତୁମେ ସଖୀ
କଥାଦେଇ ଯାଅ ଭୁଲି
ମନେ ପକାଉଛି ସେଇଦିନ ସବୁ
ସ୍ମୃତିର ଦରଜା ଖୋଲି I
ଆଜିର ବରଷା ସେଦିନ ବରଷା
କିଛି ହିଁ ଫରକ ନାହିଁ
ସେଦିନ ମୋ ସାଥେ ହସି ଖେଳୁଥିଲ
ଆଜି ଗଲ ସ୍ମୃତି ହୋଇ I
ତୁମ ସ୍ମୃତି ମୋର ଜୀବନର ରାହା
ତୁମେ ମୋ ହୃଦ ସ୍ପନ୍ଦନ
ତୁମରି ସ୍ମୃତିରେ ଉବୁଟୁବୁ ହୋଇ
କାଟିଦେବି ଏ ଜୀବନ I

