ଉତ୍ସବ
ଉତ୍ସବ
ସମୟର ରଥଚକ
ବୟସର ବେଗଗାମୀ ଅଶ୍ୱ
ଆଗେ ଆଗେ ମାଡିଯାନ୍ତି
ନମାନି କେ ଧନୀ ପୁଣି
କିଏ ଅବା ନିଃଶ୍ୱ
ତାଳଦେଇ ସମୟ ସହିତ
ଋତୁଚକ୍ର ଘୁରୁଥାଏ
ଧରିଥାଏ ସଭିଙ୍କର ହାତ I
ନିଦାଘର କାଳଝାଞ୍ଜି
ଦେହ ଜାଳିଦେଲା ପରେ
ଧିରପାଦେ ବର୍ଷା ଆସେ
କାନେବାଜେ ତା ପାଉଁଜି ସ୍ୱର
ନିଦାଘର କ୍ଷତ ଲିଭେ
ବର୍ଷାରାଣୀ ଶୀତଳ ପରଶେ I
ଓଦାମାଟି ଭିଜା ମନ
ଦେହେ ଶିହରଣ ଭରେ
ଭିଜା ଭିଜା ଶ୍ରାବଣ ପବନ
ଉଛୁଳେ ଅଳସୀ ନଈ
ପୂର୍ଣ୍ଣଗର୍ଭା ଉଛୁଳା ଯୌବନ I
ପାର୍ବଣର ଖୁସି ଆସେ
ଆକାଶଟା ତୋଫାତୋଫା ଦିଶେ
ରୂପା ଜହ୍ନ ଶୀତଳ କିରଣେ
ମାଟି ମା' ନିରବରେ ହସେ I
ମୌସୁମୀ ବିଦାୟ ନିଏ
ଓଦାମାଟି ଶୁଖି ଶୁଖି ଆସେ
ଶୀତଦିନ ହେଲା ବୋଲି ଜାଣିହୁଏ
ଶୀତୁଆ ପବନ ଯେବେ ଦେହ ଛୁଇଁଯାଏ I
କାର୍ତ୍ତିକ ବ୍ରତ, ହବିଷ୍ୟ ରନ୍ଧନ
ଦୀପାବଳୀ ଦୀପଦାନ
ଆକାଶ ଦୀପର ମିଞ୍ଜିମିଞ୍ଜି ଆଲୁଅ
ପବିତ୍ରତାରେ ଭରିଯାଏ ମନ
ସକାଳର ସ୍ନାନ ଅନ୍ତେ
ମନ୍ଦିରରେ ଠାକୁର ଦର୍ଶନ I
ପ୍ରତିମାସ, ପ୍ରତିଋତୁ
ଉତ୍ସବର ମହକ ବିତରେ
ସୁଅ ମୁହେଁ ପତ୍ର ପରି
ସମୟ ସୁଅରେ ଭାସି ଭାସି
ଏ ମଣିଷ ଓଷା,ବ୍ରତ,ହୋମ,ଯଜ୍ଞ କରି
ଖୁସିମନେ ଉତ୍ସବ ମନାଏ I